ଟୁଲକିଟ ବିବାଦ: ଦିଶା ପରେ ଆଉ ୨ଜଣ ସନ୍ଦିଗ୍ଧଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ସହ ଜଡ଼ିତ ଟୁଲକିଟ ସେୟାର କରିବା ମାମଲାରେ ପୁଲିସ ଜୋରଦାର ଯାଞ୍ଚ ଆରମ୍ଭ କରିଛି। ଦିଲ୍ଲୀ ପୁଲିସ କ୍ଲାଇମେଟ ଏକ୍ଟିଭିସ୍ଟ ଦିଶା ରବିଙ୍କୁ ଗିରଫ କରିବା ପରେ ଆଉ ୨ଜଣ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛି। ସେମାନେ ହେଲେ ନିକିତା ଜେକବ ଓ ଶାନ୍ତନୁ। ପୁଲିସ ସୂତ୍ରରୁ ଜଣାପଡ଼ିଛି କି, ନିକିତା ଓ ଶାନ୍ତନୁ ପେଶାରେ ଓକିଲ ଏବଂ ମୁମ୍ବାଇରେ ରୁହନ୍ତି।

ଅନ୍ୟପଟେ ଏହି ମାମଲାରେ ୱାରେଣ୍ଟ ଜାରି ହେବା ପରେ ନିକିତା ଓ ଶାନ୍ତନୁଙ୍କ ଓକିଲ ହାଇକୋର୍ଟ ମୁହାଁ ହୋଇଛନ୍ତି। କୋର୍ଟକୁ ଗିରଫରୁ ଅତିରିକ୍ତ ଆଶ୍ୱସ୍ତି ପ୍ରଦାନ କରିବାକୁ ଓକିଲ ଆବେଦନ କରିଛନ୍ତି। ଏଥିସହିତ ଏହି ମାମଲାର ତତ୍କାଳ ଶୁଣାଣି କରିବାକୁ ଗୁହାରି କରିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ଦିଲ୍ଲୀ ହିଂସା ପୂର୍ବରୁ ଏକ ଜୁମ୍ ମିଟିଂ ହୋଇଥିଲା। ଏଥିରେ ଏମଓ ଧାଲୀବାଲ, ଦିଶା ଓ ନିକିତାଙ୍କ ସହ ଆଉ କିଛି ଲୋକ ସାମିଲ ଥିଲେ। କୃଷକଙ୍କ ମଧ୍ୟରେ ଅସନ୍ତୋଷ ଓ ମିଥ୍ୟା ଖବର ପ୍ରଚାର କରିବା ଏମଓ ଧାଲୀବାଲର ଲକ୍ଷ୍ୟ ଥିଲା। ସେଥିପାଇଁ ପୁଲିସ ଗୁଳିରେ କୃଷକର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଜାନୁଆରୀ ୨୬ ପରେ ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟି ଓ ଆକ୍ଟିଭିସ୍ଟଙ୍କ ସହ ସମ୍ପର୍କ କରାଯାଇଥିଲା। ଦିଶା ପୂର୍ବରୁ ଗ୍ରେଟା ଥନବର୍ଗଙ୍କୁ ଜାଣିଥିଲେ ସେଥିପାଇଁ ତାଙ୍କ ସାହାଯ୍ୟ ନେଇଥିଲେ।