୧୫ ଦିନରେ ଟମାଟୋ ଦର କମିବ

ନୂଆଦିଲ୍ଲୀ: ଉତ୍ପାଦନ କେନ୍ଦ୍ରରୁ ଯୋଗାଣ ବଢ଼ିବା ସହ ୧୫ ଦିନ ମଧ୍ୟରେ ଟମାଟୋ ଦର କମିବାକୁ ନେଇ ସରକାର ଆଶାବାଦୀ ଅଛନ୍ତି । ଏଥିସହିତ ମାସକ ମଧ୍ୟରେ ଟମାଟୋ ସାମନ୍ୟ ସ୍ତରକୁ ଆସିବାକୁ ନେଇ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି । ଟମାଟୋ ଦର ଏବେ ଅଧିକାଂଶ ସହରରେ ୧୦୦ ଟଙ୍କା ଥିବାବେଳେ କିଛି ସହରରେ ଟପି ମଧ୍ୟ ଯାଇଛି ।

ଟମାଟୋ ସମସ୍ୟାକୁ ନେଇ ଉପଭୋକ୍ତା ବିଭାଗର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ, ହିମାଚଳ ପ୍ରଦେଶର ସୋଲନ ଓ ସିରମୋର ଜିଲ୍ଲାରୁ ଅଧିକ ଯୋଗାଣ ହେଲେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଟମାଟୋର ଖୁଚୁରା ଦର ତୁରନ୍ତ କମିଯିବ । ପ୍ରତିବର୍ଷ ଟମାଟୋ ଦର ବୃଦ୍ଧି ଘଟଣା ଏହି ସମୟରେ ହିଁ ହୋଇଥାଏ । ମୁଁ ଏହି ଦରକୁ ଉଚିତ ବୋଲି କହୁନାହିଁ । ଏହା ପାଣିପାଗ ସମସ୍ୟାକୁ ପ୍ରମାଣିତ କରୁଛି । ସରକାର ଏହା ଉପରେ ନଜର ରଖିଛନ୍ତି ଏବଂ ଯୋଗାଣକୁ ସୁବ୍ୟବସ୍ଥିତ କରିବାର ସମାଧାନ ଖୋଜୁଛନ୍ତି ।