ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ: ନେଟୱର୍କ ସମସ୍ୟା ସମାଧାନ ନ ହେବାରୁ ନିର୍ବାଚନରୁ ଓହରିଲେ ୪ ପଞ୍ଚାୟତବାସୀ ଜିଲ୍ଲା By Nitidin Last updated Jan 17, 2022 Share ଦେବଗଡ଼,ଏନ୍ଏନ୍ଏସ୍: ନେଟୱର୍କ ସମସ୍ୟା ନେଇ ତିଲେଇବଣୀ ବ୍ଲକର ଅପହଞ୍ଚ ଇଲାକା ଭାବେ ପରିଚିତ ୬ଟି ପଞ୍ଚାୟତବାସୀ ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କଲା ପରେ ମଧ୍ୟ କୌଣସି ସମାଧାନ ନବାହାରିବାରୁ ଅଞ୍ଚଳବାସୀ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଦା ମାଓବାଦୀଙ୍କ ଚରାଭୂଇଁ ଭାବେ ପରିଚିତ ତିଲେଇବଣୀ ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା, ପାରପୋଷି, ଝାରମୁଣ୍ଡା ଓ ଲଇମୁରା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱାର୍କ ଟାୱାର ସ୍ଥାପନ ପାଇଁ ବାରମ୍ବାର ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ସାସଂଦ ନିତେଶ ଗଙ୍ଗଦେବ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବୀ କଲାପରେ ମଧ୍ୟ ସେମାନଙ୍କୁ କେବଳ ପ୍ରତିଶୃତି ଛଡା ଆଉ କିଛି ମିଳୁନାହିଁ। ଫଳରେ ଅଂଚଳବାସୀ ନିରାଶ ହୋଇପଡିବା ପରେ ଏନେଇ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏ ସମସ୍ୟା ସମାଧାନ କରାନଗଲେ ଅଞ୍ଚଳବାସୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ଦାବି କରିବା ସହିତ ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ସେମାନଙ୍କ ଦାବି ପୂରଣ ନହେବାରୁ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା ଓ ପାରପୋଷି ପଞ୍ଚାୟତର ଜନସାଧାରଣ ଗତକାଲି ଝରାଗୋଗୁଆ ବଜାର ପ୍ରାଙ୍ଗଣରେ ଏକତ୍ରୀତ ହୋଇ ପୂର୍ବ ଘୋଷଣା ଅନୁଯାୟୀ ଭୋଟ ବର୍ଜନ କରିବାକୁ ନିଷ୍ପତି ନେବା ସହ ଆଜି ଠାରୁ ଆରମ୍ଭ ହେବାକୁ ଥିବା ମନୋନୟନପତ୍ର ଦାଖଲ ପକ୍ରିୟାରୁ ବିରତ ରହିବାକୁ ନିଷ୍ପତି ନେଇଥିଲେ। ଏଥିସହ ଗ୍ରାମବାସୀଙ୍କ ବୈଠକ ନିଷ୍ପତିକୁ ଅମାନ୍ୟ କରି କୌଣସି ବ୍ୟକ୍ତି ନାମାଙ୍କନ ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବିବେଚନା କରାଯିବ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ସଂପୃକ୍ତ ଅଞ୍ଚଳରେ ପ୍ରଚାର କରାଯାଇଛି। ଫଳରେ ତିଲେଇବଣୀ ବ୍ଲକର ଉପରୋକ୍ତ ପଞ୍ଚାୟତ ଗୁଡିକରେ ପଂଚାୟତ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ ପାଇଛି। Share