ଆଇପିଏଲର ଆଜିର ମ୍ୟାଚ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗସ

ଅହମ୍ମଦାବାଦ,ଏଜେନ୍ସି: ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗସ ଆଜି ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ଏହା ପ୍ରଥମ ପର୍ୟ୍ୟାୟର ଶେଷ ଲିଗ୍‌ ମ୍ୟାଚ୍‌। ପଏଣ୍ଟ ତାଲିକାର ୨ୟ ସ୍ଥାନରେ ଥିବା ବାଙ୍ଗାଲୋର ବିଜୟ ବଜାୟ ରଖିବାର ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ କିଙ୍ଗସ ପ୍ରତ୍ୟାବର୍ତ୍ତନର ଆଶା ରଖିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ କ୍ରମାଗତ ୪ଟି ମ୍ୟାଚ ଜିତିବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିଲା। ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧ ରନରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି। ବିରାଟ କୋହଲିଙ୍କ ସମେତ ଓପନର ଦେବଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡି ଭିଲିଅର୍ସ ଚମତ୍କାର ଫର୍ମରେ ରହିଛନ୍ତି। ଶେଷ ମ୍ୟାଚରେ ଡି ଭିଲିଅର୍ସ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ରଜତ ପଟିଦାର ମଧ୍ୟ ଉପଯୋଗୀ ରନ୍‌ କରିଥିଲେ।

ମହମ୍ମଦ ସିରାଜଙ୍କ ସମେତ ହର୍ଷଲ ପଟେଲ ଚମତ୍କାର ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗସ ପ୍ରଦର୍ଶନକୁ ଦେଖିଲେ ବାଙ୍ଗାଲୋର ବହୁତ ଆଗରେ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଫର୍ମରେ ଥିବା ବିରାଟ ବାହିନୀ ପଞ୍ଜାବ କିଙ୍ଗସକୁ ପରାସ୍ତକରି ଶୀର୍ଷସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ପଞ୍ଜାବ କିଙ୍ଗ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜୟ ସହ ମାତ୍ର ୪ ପଏଣ୍ଟ ପାଇଛି।