ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ବିଧେୟକ(ସିଏବି)- ୨୦୧୯ ବିଧେୟକ ସୋମବାର ଲୋକସଭାରେ ଆଗତ ହେବ। ଏହାକୁ ଗୃହମନ୍ତ୍ରୀ ଅମିତ ଶାହା ଗୃହୀତ କରାଇବା ପରେ ଏହାକୁ ତୁରନ୍ତ ରାଜ୍ୟସଭାରେ ମଧ୍ୟ ଆଗତ କରାଯିବ ବୋଲି ଜଣାଯାଇଛି। ଏ ନେଇ ଦଳର ସମସ୍ତ ସଦସ୍ୟଙ୍କୁ ସଭାେ ଉପସ୍ଥିତ ରହିବାକୁ ବିଜେପି ହୁଇପ୍‌ ଜାରି କରିଛି। ଏହା ପରେ ଏହି ବିଲ୍‌ ଉପରେ ଆଲୋଚନା ହେବ। ଉକ୍ତ ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି।

ଲୋକସଭାରେ ଦଳର ସବୁ ସଦସ୍ୟଙ୍କୁ ଡିସେମ୍ବର ୯ରୁ ୧୧ ତାରିଖ ପର୍ୟ୍ୟନ୍ତ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ତିନି ଦିନ ମଧ୍ୟରେ ବିଧେୟକ ଉପରେ ଆଲୋଚନା ହେବା ସହିତ ଗୃହୀତ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ଲୋକସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଥିବାବେଳେ ରାଜ୍ୟସଭାରେ ନାହିଁ। ଉଚ୍ଚ ସଦନରେ ବିଜେପି ର ୮୧ ସହ ସହଯୋଗୀ ଦଳଗୁଡ଼ିକୁ ମିଶାଇଲେ ସଦସ୍ୟ ସଂଖ୍ୟା ୯୮ ହେଉଛି।

ସେହିପରି କଂଗ୍ରେସର ୪୬ ସହ ସହଯୋଗୀଙ୍କୁ ମିଶାଇଲେ ୧୦୦ ସଦସ୍ୟ ହେଉଛନ୍ତି। ଏବେ ରାଜ୍ୟସଭାର ୨୪୫ ଜଣ ସଦସ୍ୟ ଅଛନ୍ତି। ବିଧେୟକ ଗୃହୀତ କରିବାକୁ ହେଲେ ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ତେବେ ଏହି ବିଧେୟକକୁ ଶିବସେନା ଓ ବିଜେଡି ସମେତ ଅନ୍ୟ କେତେକ ଆଞ୍ଚଳିକ ଦଳ ସମର୍ଥନ କରିବାକୁ ଆଶା କରାଯାଇଛି।