ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରବେଶକୁ ନେଇ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ହିମାଚଳ ପ୍ରଦେଶକୁ ପ୍ରବେଶ କରିବାକୁ ହେଲେ ଟିକାକରଣ ସାର୍ଟିଫିକେଟ, ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା ଦରକାର। ଏତଦବ୍ୟତୀତ ଇ-ପାସ ଲାଗି ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ସେଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ଜୁନ ଓ ଜୁଲାଇରେ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶ ପହଂଚିଥିଲେ। ପର୍ଯ୍ୟଟନ ସ୍ଥଳୀରୁ ଏମିତି କିଛି ଫଟୋ ସାମ୍ନାକୁ ଆସିଥିଲା ଯାହାକି ଖୁବ୍ ଭୟାବହ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିରେ ଚିନ୍ତା ବ୍ୟକ୍ତ କରି ଲୋକଙ୍କୁ ଘରୁ ନ ବାହାରିବା ସହ ନିୟମ ପାଳନ କରିବାକୁ ନିବେଦନ କରିଥିଲେ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଶକ୍ତ ପଦକ୍ଷେପ ନିଆଯାଇଛି।