୨୯୧ ଆଶାୟୀ ପ୍ରାର୍ଥୀଙ୍କ ନାମ ଜାରି କଲା ଟିଏମସି

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ୨୯୧ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାସ୍ଥିତ ତାଙ୍କ କାଲୀଘାଟ ଆବାସରେ ସମସ୍ତ ୨୯୧ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛନ୍ତି। ଏଥିସହିତ ପାର୍ଟି ୩ଟି ସିଟ୍ ସହଯୋଗୀ ଗୋରଖା ଜନମୂର୍ତ୍ତି ମୋର୍ଚ୍ଚା ପାଇଁ ଛାଡ଼ିଥିବା ମମତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ସିଟରୁ ନିର୍ବାଚନ ଲଢ଼ିବେ। ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ, ‘ମୁଁ ଭବାନୀପୁର ସିଟକୁ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଲାଗି ଛାଡ଼ୁଛି। ମୁଁ କେବଳ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବି। ମୁଁ ମାର୍ଚ୍ଚ ୯ ତାରିଖରେ ନନ୍ଦୀଗ୍ରାମ ଯିବି ଆଉ ୧୦ ତାରିଖରେ ହଲଦିଆରେ ନାମାଙ୍କନ ପତ୍ର ଦାଖଲ କରିବି। ନିର୍ବାଚନ ସମିତି ସହ ଆଲୋଚନା କରିବା ପରେ ଆଶାୟୀ ପ୍ରାର୍ଥୀଙ୍କ ନାମ ସ୍ଥିର କଲୁ। ଏଥର ପାର୍ଟି ୫୦ଜଣ ମହିଳାଙ୍କୁ ଟିକେଟ ପ୍ରଦାନ କରିଛି। ଏତଦବ୍ୟତୀତ ଟିଏମସି ମୁସଲମାନଙ୍କୁ ୪୨, ଅନୁସୁଚିତ ଜାତିଙ୍କୁ ୭୯ ’ ଅନୁସୂଚିତ ଜନଜାତିଙ୍କୁ ୧୭ଟି ଟିକେଟ ପ୍ରଦାନ କରିଛି।’