ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମୁଖ୍ୟାଳୟରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ଛାତ୍ରୀନିବାସରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଛାତ୍ରୀ ଗୁରୁତର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଛାତ୍ରୀନିବାସରେ ୧୫୦ ଜଣ ଛାତ୍ରୀ ରହୁଥିବା ବେଳେ ଗତ ୭ ତାରିଖଠାରୁ ପର୍ଯ୍ୟାୟକ୍ରମେ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ତିନିଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି ।
ଛାତ୍ରୀନିବାସଟି ବ୍ଲକ୍ର ସର୍ବପୁରାତନ ବିଦ୍ୟାଳୟ ପରିସରରେ ରହିଥିବା ବେଳେ ଏହାକୁ ଲାଗି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି । ଏଠାରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜଳ ଓ ପରିମଳ ବିଭାଗ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନଥିବା ପରିଚାଳିକା ବାସନ୍ତୀ ଦେଈ କହିଛନ୍ତି । ପିଲାମାନେ ବାହାରର ଦୂଷିତ ପାଣି ପିଇ ଏଭଳି ପରିସ୍ଥିତିରେ ପଡ଼ିଥିବା ଆଲୋଚନା ହେଉଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲନ ପ୍ରଧାନ ଏହାକୁ ସ୍ୱିକାର କରିଛନ୍ତି ।
ଛାତ୍ରୀଙ୍କ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଘଟଣା ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ ସେ ଘଟଣା ବିଷୟରେ ଅବଗତ ନଥିବା କହିଛନ୍ତି । ଛାତ୍ରୀନିବାସର କୌଣସି କର୍ମଚାରୀ ଘଟଣା ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିନଥିବା ବିଡିଓ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବହାରି ଦିଗାଳ କହିଛନ୍ତି, ଦୂଷିିତ ପାଣି ପାଇଁ ଏହିଭଳି ପରିସ୍ଥିିତି ସୃଷ୍ଟିହୋଇଛି । ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯିବ । ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।