ଭୁବନେଶ୍ୱର,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗାଡ଼ି ଓ ମାଇକ୍ ପାଇଁ ଏବେ ଅନୁମତି ଦେବେ ତହସିଲ୍ଦାର। ଯେଉଁ ବ୍ଲକ୍ ପୁଲିସ କମିଶନରେଟ୍ ଅଧୀନରେ ଆସୁଛି ସେଠାରେ ସଂପୃକ୍ତ ପୁଲିସ୍ କମିଶନର (ସିପି) ଆବଶ୍ୟକ ଅନୁମତି ପତ୍ର ପ୍ରଦାନ କରିବେ। ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।
ନିର୍ବାଚନରେ ବ୍ୟବହୃତ ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରୁଥିଲେ ଉପଜିଲ୍ଲାପାଳ। ବିିଭିନ୍ନ ରାଜନୈତିକ ଦଳମାନେ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ପତ୍ର ପ୍ରାପ୍ତ ହେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନେଇ ଅନେକ ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ଠୋସ୍ ପଦକ୍ଷେପ ନେଇଛନ୍ତି। ନିର୍ବାଚନ ସୁପରିଚାଳନା ନିମନ୍ତେ ତହସିଲଦାରଙ୍କୁ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସଂପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ତହସିଲଦାର୍ମାନେ ନିର୍ବାଚନ ନିମନ୍ତେ ଗାଡ଼ି ଓ ଡାକବାଜି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନୁମତି ପତ୍ର ପ୍ରଦାନ କରିପାରିବେ। ତେବେ ପୁଲିସ କମିଶନରେଟ୍ ଅଧୀନରେ ଆସୁଥିବା ବ୍ଲକ୍ରେ ତହସିଲଦାର ଅନୁମତି ପତ୍ର ଦେଇ ପାରିବେନାହିଁ। ସେଠାରେ ସଂପୃକ୍ତ ପୁଲିସ କମିଶନର ଆବଶ୍ୟକ ଅନୁମତି ପତ୍ର ପ୍ରଦାନ କରିବେ। ଫଳରେ ସବୁ ରାଜନୈତିକ ଦଳମାନେ ଏବେ ସହଜରେ ଅନୁମତି ପତ୍ର ପାଇପାରିବେ।
କିଛି ସ୍ଥାନରେ ପ୍ରାର୍ଥୀଙ୍କ ଗାଡ଼ି ଓ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ସ୍ଥାନୀୟ ବିଡିଓ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ରହି ବି ଅନୁମତି ପତ୍ର ପ୍ରଦାନ କରିବେ। ହେଲେ ଜିଲ୍ଲାପାଳମାନେ ସବୁ କାର୍ଯ୍ୟର ସଠିକ୍ ତଦାରଖ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।