ପୁଲିସ ହାତରେ ଧରାପଡ଼ିଲେ ୩ ଚୋର

ବଲାଙ୍ଗିର,ଏନ୍ଏନ୍ଏସ୍: ଘରେ ପଶି ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ‌ କରିଛି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୁଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୬ ତାରିଖ ଦିନ ସ୍ଥାନୀୟ ଡୁଙ୍ଗୁରିପଡ଼ା ନିବାସୀ ଚରଣ କୁମାର ମିଶ୍ର ତାଙ୍କ ଘରେ ଚୋରି ହୋଇଥିଲା।

ଶ୍ରୀ ମିଶ୍ର ଅଗଷ୍ଟ ମାସ ୨ ତାରିଖରୁ ଘରେ ନଥିବା ବେଳେ ୫ ତାରିଖ ରାତି ୮ଟା ସମୟରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ଘରର କବାଟ ଭଙ୍ଗା ହୋଇଥିବା ସହ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଆଜି ବଲାଙ୍ଗିର ପୁଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧପାଲିପଡ଼ାର ସମନ ବାଗ(୨୫), ଆକାଶ ନନ୍ଦ(୩୦) ଏବଂ କଲେଜ ଛକର ସନ୍ଦିପ କୁମାର ଓରଫ୍‌ ଲିଙ୍କୁ(୨୫)।

ପୁଲିସ ସେମାନଙ୍କଠାରୁ ଚୋରି ଫୋନ୍ ସହ ଗୋଟିଏ ରେଡ଼ମି ନୋଟ୍‌ ୭ ସ୍ମାର୍ଟ ଫୋନ୍‌ ଏବଂ ଏକ ଟାଙ୍ଗିଆ ଜବତ‌ କରିଛି। ସଂପୃକ୍ତ ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି।