ଅରଣ୍ୟ ସଂସ୍କୃତିରେ ଅଛି ଭାରତୀୟ ଜୀବନାଦର୍ଶ ଓ ଜୀବନବୋଧର ମାର୍ଗ: ରାଜ୍ୟପାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅରଣ୍ୟ ସଂସ୍କୃତିରେ ଅଛି ଭାରତୀୟ ଜୀବନାଦର୍ଶ ଓ ଜୀବନବୋଧର ମାର୍ଗ। ଯେ ଏ ସଂସ୍କୃତିରେ ବିକୃତି ଆଣିବାକୁ ଚେଷ୍ଟା କରିଛି: ସେ ବିନାଶକୁ ବରଣ କରିଛି ସାଂପ୍ରତିକ ସମାଜର ବହୁବିଧ ସମସ୍ୟାରୁ ମୁକ୍ତି ନିମନ୍ତେ ଅରଣ୍ୟ ସଂସ୍କୃତିର ଭାବବୋଧକୁ ଆପଣେଇବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା ହେଉଛନ୍ତି ଜନଜାତି ସ୍ପର୍ଦ୍ଧା, ଶୌର୍ଯ୍ୟ, ସ୍ଵାଭିମାନ ଓ ଚେତନାର ପ୍ରତୀକ ଜୀବନର ସ୍ଵଳ୍ପତା ନୁହେଁ; କର୍ମର ବିଶାଳତା ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ, ଯାହା ତାଙ୍କ ଜୀବନରେ ପ୍ରତିଫଳିତ। ସେ ଚିରକାଳ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବେ।

ଓଡ଼ିଶାର ପରିଚିତି ଓ ଅସ୍ମିତାକୁ ଜନଜାତିଙ୍କର ବିଶେଷ ଅବଦାନ ରହିଛି। ସେମାନଙ୍କର ବିକାଶରେ ହିଁ ରାଜ୍ୟର ବିକାଶ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତି ସଶକ୍ତୀକରଣ ନିମନ୍ତେ ବହୁବିଧ ପ୍ରୟାସ କରୁଛନ୍ତି ଯାହାର ସକାରାତ୍ମକ ପ୍ରଭାବ ଅନୁଭୂତ ହେଉଛି ଏବଂ ଏହାର ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ସାଂସଦ ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜନଜାତିଙ୍କ ବିକାଶ ନିମନ୍ତେ ଶିକ୍ଷାକୁ ପ୍ରମୁଖ ଉତପ୍ରେରକ ଭାବରେ ବର୍ଣ୍ଣନା କରି ଜନଜାତି ପିଲାମାନଙ୍କ ମଧ୍ୟରେ ପ୍ରତିଭାର ପ୍ରାବଲ୍ୟ ରହିଥିବା ପ୍ରକାଶ କରିଥିଲେ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ଜନଜାତିଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ଓ ପ୍ରୟାସ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

‘ସ୍ଵାଧୀନତା ସଂଗ୍ରାମରେ ଜନଜାତିଙ୍କ ଅବଦାନ’ ଶୀର୍ଷକ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ବକ୍ତୃତା ପ୍ରଦାନ କରି ପଦ୍ମଶ୍ରୀ ଡ. ଦମୟନ୍ତୀ ବେସ୍ରା କହିଲେ ଯେ ସ୍ଵାଧୀନ ଚେତନା ଜନଜାତିଙ୍କର ସହଜାତ ପ୍ରବୃତ୍ତି। ଅନ୍ୟାୟ ଓ ଅନୀତି ବିରୋଧରେ ତାଙ୍କ ସଂଗ୍ରାମରେ ରୁଦ୍ଧିମନ୍ତ ଭାରତର ଇତିହାସ। ଏବଂ ଏହାର ସଠିକ୍ ଆକଳନ ଓ ମୂଲ୍ୟାୟନ ହେବା ଦରକାର।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଓ ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହ ଜନଜାତି ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।