ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ମହିମା ଛକ ନିକଟସ୍ଥ ଏକ ଟାୟାର ଦୋକାନରୁ ପ୍ରାୟ ୫ଲକ୍ଷ ୮୦ହଜାର ଟଙ୍କାର ୨୮ଟି ଟାୟାର ଚୋରୀ ହୋଇଥିବା ବେଲପାହାଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ଓ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ପ୍ରମୁଖଙ୍କ ସହ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁଯାୟୀ, ରହମ୍ମଦନଗରର ମହମ୍ମଦ ଫେଏଜାନ ଖାନ (୩୨)ଙ୍କ ମହିମା ଛକ ନିକଟସ୍ଥ ଦୋକାନର ପଛ ପଟରୁ ଲୁହା କବାଟ ତାଡ଼ି ଦୋକାନରେ ଥିବା ଟ୍ରକର ୨୦ଟି ଟାୟାର ଓ ସ୍କର୍ପିଓ ଗାଡ଼ିର ୮ଟି ଟାୟାର ଦୁର୍ବୁତମାନେ ଗତ ରବିବାର ରାତିରେ ଚୋରି କରି ନେଇଛନ୍ତି। ଏନେଇ ଫେଏଜାନ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଦୋକାନ ପଛ ପଟେ ଏକ ଚାରି ଚକିଆ ଗାଡ଼ିର ଚକ ଚିହ୍ନ ଥିବା ପୁଲିସକୁ କହିଥିଲେ। ଫଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଚକ ଚିହ୍ନର ମାପ, ଫଟୋ ନେବା ସହ ଆଖପାଖ ଲୋକଙ୍କୁ ପଚରାଉଚୁରା ଆରମ୍ଭ କରିଛି।