ଏମିତି ଏକ ମନ୍ଦିର ଯେଉଁଠି ପୂଜା ପାଉଛନ୍ତି ଗୋବର ଗଣେଶ

ଆପଣ ଦେଖିଥିବେ ବିଭିନ୍ନ ଭଙ୍ଗିର ଗଣେଶ ପୂଜା ପାଉଥିବାର। ବାଳ ଗଣେଶ, ନୃତ୍ୟରତ ଗଣେଶ, ବସିଥିବା ମୂଦ୍ରାର ଗଣେଶ, ଶୟନ କରୁଥିବା ଗଣେଶ, ଦକ୍ଷିଣମୁଖୀ ଗଣେଶଙ୍କ କଥା ମଧ୍ୟ ଆପଣ ଶୁଣିଥିବେ। ତେବେ ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଗୋବରରେ ତିଆରି ଗଣେଶଙ୍କୁ ପୂଜା କରାଯାଏ। ମଧ୍ୟପ୍ରଦେଶର ମହେଶ୍ୱର ଠାରେ ଥିବା ଏକ ମନ୍ଦିରରେ ଗୋବରରେ ନିର୍ମିତ ଗଣେଶ ପୂଜା ପାଇଥା’ନ୍ତି। ଏହି ମନ୍ଦିରରେ ପୂଜା ପାଇଁ ଆସୁଥିବା ଭକ୍ତ ଗୋବରର ପବିତ୍ରତା ଉପରେ ବିଶ୍ୱାସ କରନ୍ତି ।

ଗୋବରରେ ପଞ୍ଚତତ୍ତ୍ୱ ରହୁଥିବାରୁ ଏଥିରେ ନିର୍ମିତ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅପାର କରୁଣା ଲାଭ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ରହିଛି। ସେହିପରି ଗୋବରରେ ଧନଦାତ୍ରୀ ମା’ ଲକ୍ଷ୍ମୀ ବାସ କରୁଥିବାରୁ ଏକତ୍ର ଗଣେଶ ଓ ଲକ୍ଷ୍ମୀଙ୍କର ପୂଜା କରିବାର ସୌଭାଗ୍ୟ ମିଳିଥାଏ। ଏହାଦ୍ୱାରା ସାଂସାରିକ ଜୀବନରେ ଥିବା ସମସ୍ୟା ସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ବୋଲି ଗୋବର ଗଣେଶଙ୍କ ଉପାସକ କୁହନ୍ତି। ତେବେ ଏହି ମନ୍ଦିରର ଆଉ ଏକ ସ୍ୱାତନ୍ତ୍ର୍ୟତା ରହିଛି ଯେ, ଏହି ମନ୍ଦିରର ଆକାର ମନ୍ଦିର ପରି ନୁହେଁ ବରଂ ମସଜିଦ୍ ପରି।

ଔରଙ୍ଗଜେବଙ୍କ ଶାସନ ସମୟରେ ସେ ଏହି ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ। ସେହିଦିନ ଠାରୁ ଏହି ମନ୍ଦିରର ଆକାର ମସଜିଦ୍ ପରି ରହିଛି। ଗଣେଶ ଚତୁର୍ଥୀ ଓ ଦିପାବଳୀ ସମୟରେ ଏହି ମନ୍ଦିରରେ ଯଥେଷ୍ଟ ଭିଡ଼ ଦେଖିବାକୁ ମିଳେ।