ଉଦଘାଟନ ଅପେକ୍ଷାରେ ଇଣ୍ଟରଆକ୍ଟିଭ୍ ପ୍ରୋଜେକ୍ସନ୍ ଥିଏଟର୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଥିବା ଇଣ୍ଟରଆକ୍ଟିଭ୍ ପ୍ରୋଜେକ୍ସନ୍ ଥିଏଟର୍ ଉଦଘାଟନ ଅପେକ୍ଷାରେ ରହିଛି। ଦୀର୍ଘଦିନ ଧରି ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଉଦଘାଟନ ତାରିଖ ଘୁଞ୍ଚିଘୁଞ୍ଚି ଯାଉଛି। ଗ୍ୟାଲେରୀ ଟି ସମ୍ପୂର୍ଣ୍ଣ ଡିଜିଟାଲ ହୋଇଥବାରୁ ଏହାକୁ ଡିଜିଟାଲ୍ ଗ୍ୟାଲେରୀ କୁହାଯାଉଥିବାବେଳେ ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଥିଏଟର୍ ଖୋଲିବା ଅପେକ୍ଷାରେ ରହିଛନ୍ତି।

ଅନ୍ୟପଟେ ଥିଏଟର୍ କାମ ସରି ଯାଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଏହାର ଉଦ୍‌ଘାଟନ କରାଯିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି। ପ୍ରାଚୀନ ଜନଜାତି (ପିଭିଟିଜି) ମାନଙ୍କ ଜୀବନୀ ଓ ସଂସ୍କୃତି ବିଷୟରେ ଜାଣି ପାରିବେ। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆଦିମ ଜନଜାତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ସେହିପରି କରୋନା ପାଇଁ ସଂଗ୍ରହାଳୟକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ନିକଟରେ ପୁଣି ଥରେ ଦର୍ଶକଙ୍କ ପାଇଁ ଏହାକୁ ଖୋଲା ଯାଇଛି। ସେହପରି ପୂର୍ବପରି ପ୍ରତି ରବିବାର ଭର୍ଚୁଆଲ ଟୁର୍ ବ୍ୟବସ୍ଥା ଜାରି ରହିଛି।

ସୂଚନା ଥାଉ କି, ରାଜଧାନୀର ସିଆରପି ଛକ ନିକଟରେ ଥିବା ଏହି ସଂଗ୍ରହାଳୟରେ ୫ଟି ଗ୍ୟାଲେରୀରେ ୪ହଜାରରୁ ଊର୍ଦ୍ଧ୍ୱ ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏଠାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ବିଭିନ୍ନ ସାମଗ୍ରୀ, ଘରକରଣା ସାମଗ୍ରୀ, ଅଳଙ୍କାର, ଖାଦ୍ୟପେୟ, ପୋଷାକ, ନୃତ୍ୟଗୀତ ଆଦିକୁ ସ୍ଥାନୀତ କରାଯାଇଛି। ସେହିପରି ସଂଗ୍ରହାଳୟ ପରିସରରେ ଥିବା ୫ଟି ଜନଜାତି ଜୁଆଙ୍ଗ, ଗଦବା, ସଉରା, କନ୍ଧ ଓ ସାନ୍ତାଳମାନଙ୍କ ଘର, ମିନି ପ୍ରେକ୍ଷାଳୟ ଆଦି ରହିଛି।

ସେହିପରି ଏଠାରେ କିଓସ୍କ, ଇନ୍‌ଫରମେଟିଭ ମୋବାଇଲ ଆପ୍ସ, ମଲ୍ଟିମିଡିଆ ଟୁର୍‌, ଭିଡ଼ିଓ ୱାଲ ଆଦି ରହିଛି। କିଓସ୍କ ଗୁଡିକରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରୁଛି। ଯାହାର ବ୍ୟବହାର କରି ପର୍ଯ୍ୟଟକମାନେ ଗ୍ୟାଲେରୀରେ ଥିବା ସମସ୍ତ ସାମଗ୍ରୀ ଏବଂ ସମ୍ପୃକ୍ତ ଜନଜାତିଙ୍କ ସମ୍ପର୍କରେ ଅତି ସହଜରେ ଅବଗତ ହୋଇ ପାରିବେ।