ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ଧାରଣା

ବାରିପଦା, ଏନ୍ଏନ୍ଏସ୍: ବାରିପଦା ପିଆରଏମ ମେଡିକାଲରେ ଅବହେଳାରୁ ଜଣେ କଲେଜ ଛାତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲ  ମୁଖ୍ୟ  ଗେଟ୍ ସମ୍ମୁଖରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର।

ସୂଚନା ଅନୁସାରେ, ଗତ ୩୧ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ନାବାଳିକା ଝିଅ ସୁପ୍ରିୟାଙ୍କୁ ବାରିପଦା ପି ଆର୍ ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ପୂର୍ବରୁ ରକ୍ତହୀନତା ରୋଗରେ ପୀଡିତ ଥିବାରୁ ପରିବାର ଲୋକ ତାଙ୍କୁ ଅନେକ ଥର ମେଡିକାଲରେ ଚିକିତ୍ସା କରାଇବା ସହ ତାଙ୍କୁ ରକ୍ତ ଦେଇଥିଲେ । ତେବେ ତାଙ୍କ ବାପା ସୁନାରାମ ପାତ୍ର ଓ ମାତା ଲକ୍ଷ୍ମୀ ପାତ୍ର ଗତ ଶନିବାର ଝିଅକୁ ଅସୁସ୍ଥ ଥିବା ଦେଖି ରକ୍ତ ଦେବାପାଇଁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ବାରମ୍ବାର ରକ୍ତ ଦେବା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିବା ସତ୍ତେ୍ୱ କାର୍ଯ୍ୟରତ ଡାକ୍ତର କିମ୍ବା କୌଣସି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ଆଜି ସକାଳେ ଦେହ ଅତ୍ୟନ୍ତ ଖରାପ ହେବାରୁ ନର୍ସ ଆସି ଏକ ଇଞ୍ଜେକ୍ସନ ଦେବାପରେ ସୁପ୍ରିୟାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳା ଦର୍ଶାଇ ପରିବାର ଲୋକେ ମୁଖ୍ୟ ଗେଟ ସମ୍ମୁଖରେ ଶବ ରଖି ଧାରଣା ହେବାସହ କ୍ଷତିପୂରଣ ଦାବି କରିଛନ୍ତି।