ନୂଆଦିଲ୍ଲୀ, ଏଜେନ୍ସି: କୋଭିଡ୍-୧୯ ମହାମାରୀ ମୁକାବିଲାରେ ଗଣମାଧ୍ୟମର ଭୂମିକାକୁ ଉଚ୍ଚପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜୟପୁରରେ ପତ୍ରିକା ଗେଟକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍ଘାଟନ କରି ମୋଦୀ କହିଲେ, ଏହି ମହାମାରୀ ସମ୍ପର୍କରେ ଗଣମାଧ୍ୟମ ଗୁଡିକ ଆଶାତୀତ ଭାବେ ଜନସଚେତନତା ସୃଷ୍ଟି କରିପାରିଛନ୍ତି। ଏବଂ ସରକାର କୋଭିଡ୍ ମୁକାବିଲା ପାଇଁ ନେଉଥିବା ପଦକ୍ଷେପର ଉଭୟ ଭଲମନ୍ଦ ଦିଗ ସମ୍ପର୍କରେ ସୂଚାଇ ଦେଇଛନ୍ତି। ସମାଜର ଏହି ବୁଦ୍ଧିଜୀବୀ ଗୋଷ୍ଠୀ ଶିକ୍ଷକ ଓ ଦିଗଦର୍ଶକ ସଦୃଶ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ମହାନ ବ୍ୟକ୍ତିଙ୍କ ନାମ ଦୃଷ୍ଟିକୁ ଆସେ ସେମାନେ ଲେଖାଲେଖି ସହ ସମ୍ପୃକ୍ତ ଥିଲେ।
ନୂଆ ପିଢୀ ମଧ୍ୟରେ ପୁସ୍ତକ ପଠନ ଅଭ୍ୟାସ ବୃଦ୍ଧି କରାଯିବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଘରଟିଏ ତୋଳିଲା ବେଳେ ସେମାନେ କେଉଁ ସ୍ଥାନରେ ବହି ରଖାଯିବ ତାହା ସୁନିଶ୍ଚିତ କରାଯିବା ଉଚିତ୍। ପରିବାରର ସମସ୍ତ ସଦସ୍ୟ ଦୈନିକ କିଛି ସମୟ ପଠନରେ ବିନିଯୋଗ କରିବା ଉଚିତ୍। ଦେଶର ପ୍ରାଚୀନ ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ବର୍ତ୍ତମାନର ଯୁଗ ହେଉଛି ଟେକ୍ସଟ୍, ଟ୍ୱିଟ୍ ଓ ଗୁଗୁଲ୍ ଗୁରୁର ଯୁଗ। ବର୍ତ୍ତମାନର ପିଢୀ ଜ୍ଞାନ ଆହରଣ ପାଇଁ ସେତେ ଗୁରୁତ୍ୱ ଦେଉନାହାନ୍ତି। ଜୟପୁରର ଜବାହରଲାଲ ନେହେରୁ ମାର୍ଗରେ ସମ୍ବାଦପତ୍ର ପତ୍ରିକା ଗ୍ରୁପ ଦ୍ୱାରା ଏହି ଆଇକନିକ୍ ଗେଟ୍ ନିର୍ମିତ ହୋଇଥିଲା।