ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତେଲେନପାଲି ନିକଟସ୍ଥ ରେଲୱେ ଝୁମ୍ପୁଡ଼ିପଡା ଗ୍ରାମର ଜଣେ ନାବାଳିକା ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ମୃତ ନାବାଳିକା ଜଣକ ପ୍ରତାପ ମୁଣ୍ଡାଙ୍କ ପୋଷ୍ୟାକନ୍ୟା ମନିଶା ତୀର୍କି(୧୪) ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶୋଇଥିବା ବେଳେ ରବିବାର ଭୋର ମନିଶାଙ୍କ ହାତ ଓ ଗଳାକୁ ଏକ ସାପ କାମୁଡ଼ି ଦେଇଥିଲା। ଏନେଇ ମନିଶା ପରିବାର ଲୋକଙ୍କୁ ଜଣାଇବାରୁ ତାଙ୍କୁ ପ୍ରଥମେ ଟିଆରଏଲ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି।