ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲା; ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଜଣେ ୧୨ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଘଟଣା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ହସ୍ପିଟାଲ୍ ଗସ୍ତ କରି ପୀଡ଼ିତାଙ୍କ ପରିବାର ଏବଂ ଡାକ୍ତରଙ୍କୁ ଭେଟିଛନ୍ତି। ଆଗାମୀ ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ସେଠାରେ ସେ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏଭଳି ଜଘନ୍ୟ ଘଟଣାର ଅପରାଧୀକୁ କଠିନ ଦଣ୍ଡ ଦେବାକୁ ଦିଲ୍ଲୀ ପୁଲିସ କମିସନର ଏସ୍ଏନ୍ ଶ୍ରୀବାସ୍ତବଙ୍କ ସହ ଆଲୋଚନା କରିଥିବା କେଜରିୱାଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏଥିସହ ଦିଲ୍ଲୀ ମହିଳା କମିସନର ସ୍ୱାତୀ ମାଲିୱାଲ୍ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ଏ ସମ୍ପର୍କରେ ସ୍ୱାତୀ ସୂଚନା ଦେଇଛନ୍ତି ଯେ, ପୀଡ଼ିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ସହ ହାତ ଫ୍ରାକଚର ହୋଇଛି। ଯଥାଶୀଘ୍ର ଅପରାଧୀଙ୍କୁ ଗିରଫ କରି ଦଣ୍ଡବିଧାନ କରିବାକୁ ଡିସିପିଙ୍କୁ ଅନୁରୋଧ କରିଥିବା ସ୍ୱାତୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକ ପାଇଥିଲେ। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବାକୁ ଚେଷ୍ଟା କରିଥିବା ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସେହିପରି ପ୍ରଥମେ ପୀଡ଼ିତାଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।