କେସିଙ୍ଗାରେ ବାଲି ମାଫିଆଙ୍କ ଆତଙ୍କ, ଅଭିଯୋଗ କଲେ ପୁଲିସ ଲଗାଇ ଦମନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟସ୍ଥ ତେଲ ନଦୀ ମହଦା ଘାଟରୁ ତହସିଲ ବିଭାଗର ଜାଣତରେ ଦିନ ରାତି ବାଲି ଚୋରା ଚାଲାଣ ଚାଲିଛି । ବାଲି ମାଫିଆ ନିଜକୁ ଜଣେ ଶାସକ ଦଳର ଲୋକ, ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ନାଁ ନେଇ ସମୟକ୍ରମେ ରାଜନୈତିକ ବଳ ପ୍ରୟୋଗ କରି ବେଆଇନ ଭାବେ ହଜାର ହଜାର ହାଇବା ବାଲି ଚୋରା ଚାଲାଣ କରୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ମିଳିଥିବା ରିପୋର୍ଟ ମୁତାବକ, କେସିଙ୍ଗା ସହରରୁ ୨କିମି ଦୂରରେ ତେଲ ନଦୀ ଅବସ୍ଥିତ । ନଦୀର ଗୋଟିଏ ପାର୍ଶ୍ୱ କେସିଙ୍ଗା ତହସିଲ ବିଭାଗରେ ଆସୁଥିବାବେଳେ ଅପର ପାର୍ଶ୍ୱ ୨୦କିମି ଦୂର ଟିଟିଲାଗଡ଼ ତହସିଲ ବିଭାଗରେ ଆସୁଛି । ସୀମାନ୍ତ ଅଞ୍ଚଳ ଓ ନିଜର ରାଜନୈତିକ ପତିଆରର ଲାଭ ଉଠାଇ ରଜତ କୁମାର ପାତ୍ର ନାମକ ଜୈନେକ ବ୍ୟକ୍ତିଙ୍କୁ ୩୯୮ ଟଙ୍କା କ୍ୟୁବିକ ମିଟରରେ ୫ହଜାର କ୍ୟୁବିକ ମିଟର ବାଲି ଉଠାଣ ୫ବର୍ଷ ପାଇଁ ଲିଜରେ ଦିଆଯାଇଛି । ହେଲେ ବାଲି ଉଠାଣ ଦିନଠାରୁ ବିଭିନ୍ନ ଜରିଆରେ ଜାଲିଆତି କରି ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୨୫ହଜାରରୁ ଅଧିକ କ୍ୟୁବିକ ମିଟର ବାଲି ଉଠାଇଥିବା ଅଭିଯୋଗ ହେଉଛି । ଏନେଇ ଟିଟିଲାଗଡ଼ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଅନେକ ବ୍ୟକ୍ତି ବିଶେଷ ଓ ସଂଗଠନ ଦ୍ୱାରା ବିନା ଟ୍ରାଞ୍ଜିଟ ପାସ ଏବଂ ଟ୍ରାଞ୍ଜିଟ ପାସରେ ଜାଲିଆତି କରି ଦୈନିକ ଶତାଧିକ ହାଇବା ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ କରି ତୁରନ୍ତ ତାର ଲିଜ ପ୍ଲଟକୁ ଚିହ୍ନଟ କରାଯାଇ କେତେ ବାଲି ଉଠିଛି ତାର ଏସେସମେଣ୍ଟ କରାଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ନା ଏସେସମେଣ୍ଟ ହୋଇଛି ନା ପ୍ଲଟ ନଂ ଚିହ୍ନଟ କରାଯାଇଛି ବରଂ ଅଭିଯୋଗ କରିଥିବା କିଛି ଟ୍ରାକ୍ଟର ମାଲିକଙ୍କୁ ବିଭିନ୍ନ ସଙ୍ଗୀନ ଦଫା ଲଗେଇ ଏକ ମାମଲାରେ ଛନ୍ଦି ଦିଆଯାଇଛି । ଏନେଇ ଟିଟିଲାଗଡ଼ ତହସିଲଦାର ଲଳିତ ବାଗଙ୍କୁ ୨ମାସ ତଳେ ଏସେସମେଣ୍ଟ ପାଇଁ ସାଧାରଣତଃ ୩୫ଟଙ୍କା କ୍ୟୁବିକ ମିଟର ବାଲି ଦର ଥିବାବେଳେ ଏତେ ଚଢ଼ା ଦରରେ ନେଇ କାହିଁକି ଶସ୍ତାରେ ବାଲି ବିକ୍ରୟ ହେଉଛି ବୋଲି ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ମୁଁ ଦେଢ଼ ମାସ ହେଲା ଆସିଛି ମାଇନିଂ ବିଭାଗ କୁ ଏସେସମେଣ୍ଟ ପାଇଁ ଚିଠି ଲେଖିଛୁ ବୋଲି ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ସରକାର ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି ଏବଂ ଯେଉଁ ତହସିଲ ବିଭାଗ ଠିକ ଭାବରେ ତଦାରଖ କରିବାର ଦାୟିତ୍ୱ ରହିଛି ସେହି ବିଭାଗ ଚୋରି ରୋକିବା ବଦଳରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।