ଶ୍ରୀନଗର,ଏଜେନ୍ସି: ଭାରତକୁ ଅନୁପ୍ରବେଶ ଲକ୍ଷ୍ୟରେ ବର୍ତ୍ତମାନ ନିୟନ୍ତ୍ରଣ ରେଖା ଅପରପାଶ୍ୱର୍ରେ ପ୍ରାୟ ୨୫୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି ଏବଂ କଶ୍ମୀର ଘାଟୀରେ ୨୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି ବୋଲି ଜମ୍ମୁ-କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଉପଲବ୍ଧ ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ପାକିସ୍ତାନର ନାମ ଉଲ୍ଲେଖ ନକରି ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ଆତଙ୍କବାଦୀଙ୍କୁ ସବୁ ଯୋଜନାକୁ ପଣ୍ଡ କରିବାକୁ ଜମ୍ମୁ-କଶ୍ମୀର ପୁଲିସ ଓ ଭାରତୀୟ ଯବାନ ପ୍ରସ୍ତୁତ ରହିଛନ୍ତି। ଜୁନ୍ ୨୮ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ଏହାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଲକ୍ଷ୍ୟ ରଖିଥିଲେ ସୁଦ୍ଧା ଭାରତୀୟ ଯବାନ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି। ଅମରନାଥ ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ଏବଂ ପ୍ରତ୍ୟେକ ରହଣିସ୍ଥଳରେ ବ୍ୟାପକ ନିରାପତ୍ତା ବନ୍ଦୋବସ୍ତ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ କଶ୍ମୀର ଘାଟୀରେ ବର୍ତ୍ତମାନ ପ୍ରାୟ ୨୦୦ ଆତଙ୍କବାଦୀ ସକ୍ରିୟ ରହିଥିବା ସେ କହିଛନ୍ତି। ତେବେ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ସଂଖ୍ୟା ହ୍ରାସ ପାଇବ ବୋଲି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି। ବିଗତ ତିନି ଦଶନ୍ଧି ଧରି ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ କରିବା ସହ ସ୍ଥାନୀୟ ଜନତାଙ୍କ ଜୀବନକୁ ବିପନ୍ନ କରିଆସୁଥିବା ଆତଙ୍କବାଦୀଙ୍କ ଏହି ଚାଲବାଜି ଆଉ କାମ କରିବ ନାହିଁ ବୋଲି ସେ କହିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ନିରାପତ୍ତାରକ୍ଷୀଙ୍କ କାର୍ଯ୍ୟାନୁଷ୍ଠାନରେ କଶ୍ମୀର ଘାଟିରେ ଏକାଧିକ ତୁଙ୍ଗ ଆତଙ୍କବାଦୀ କମାଣ୍ଡର ନିପାତ ହୋଇସାରିଲେଣି। ତେଣୁ ଆତଙ୍କବାଦୀମାନେ ବର୍ତ୍ତମାନ ମୁରବୀହୀନ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ପୁନଶ୍ଚ ଫେବୃଆରୀ ୨୪ରୁ ନିୟନ୍ତ୍ରଣ ରେଖାରେ ଅସ୍ତ୍ରିବରତି ପାଳନ କରାଯାଉଥିବାରୁ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରିବାକୁ ବିଶେଷ ସୁଯୋଗ ପାଉନଥିବା ସେ କହିଛନ୍ତି। ନିକଟରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଧିକାରୀମାନେ ସାମ୍ବା ଜିଲ୍ଲାରୁ ନଗଦ ୯୧ ଲକ୍ଷ ଟଙ୍କା ଜବତ କରିଥିବା ପ୍ରସଙ୍ଗରେ ଶ୍ରୀ ସିଂହ କହିଛନ୍ତି ଯେ କଶ୍ମୀର ଘାଟିରେ ଆତଙ୍କବାଦୀ ଓ ନିଶାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ଇତିମଧ୍ୟରେ ବିଭିନ୍ନ ସ୍ଥାନରୁ ଏକାଧିକ ନିଶାବେପାରୀ ଗିରଫ ହେବାପରେ ଏହି କାର୍ଯ୍ୟକଳାପ ମାନ୍ଦା ପଡିଥିବା ସେ କହିଛନ୍ତି। ଏହାବ୍ୟତୀତ ସୀମା ଆରପଟରୁ ଭାରତକୁ ଚୋରାଚାଲାଣ କରାଯାଉଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରାଯାଉଛି। ଏଗୁଡିକ ଯେପରି ଆତଙ୍କବାଦୀଙ୍କ ନିକଟରେ ନ ପହଞ୍ଚେ ସେଥିପ୍ରତି ପୁଲିସ ଯଥେଷ୍ଟ ସଜାଗ ରିଥିବା ସେ କହିଛନ୍ତି। କଶ୍ମୀର ଘାଟିରେ ଆତଙ୍କବାଦୀମାନେ ଯେଉଁ ଷ୍ଟିକି ବୋମା ବ୍ୟବହାର କରୁଛନ୍ତି, ତାହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଧରଣର ବୋମାରେ ଚୁମ୍ବକ ରହିଛି ଏବଂ ଯେକୌଣସି ଧାତବ ପଦାର୍ଥରେ ଏହାକୁ ଅନାୟାସରେ ଖଞ୍ଜାଯାଉଥିବାରୁ ପୁଲିସକୁ ଯଥେଷ୍ଟ ସତର୍କ ରହିବାକୁ ପଡୁଛି। ନିରାପତ୍ତାରକ୍ଷୀଙ୍କ ଗାଡି ଓ ସାଧାରଣ ଜନତାଙ୍କୁ ଏହି ବୋମା ଜରିଆରେ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି। ପୁଲିସ ଇତିମଧ୍ୟରେ ଏଭଳି କେତେକ ଷ୍ଟିକି ବୋମାକୁ ଜବତ କରିସାରିଲାଣି। ଫେବୃଆରୀ ୧୪ରେ ଜମ୍ମୁରୁ ୭ କିଲୋ ଆଇଇଡି ବିସ୍ଫୋରକ ଜବତ କରାଯାଇଥିବାବେଳେ ପୁଲୱାମା ଭଳି ଆକ୍ରମଣ ଯୋଜନାକୁ ପୁଲିସ ପଣ୍ଡ କରିପାରିଛି ବୋଲି ସେ କହିଛନ୍ତି।