ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପଡି଼ଆରେ ୫ଟି ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମବେଳେ ଅଘଟଣ ଘଟିଛି । କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବା ଯୋଗୁ କାର୍ଯ୍ୟକ୍ରମ ସ୍ଥଳୀରେ ଲାଗିଥିବା ଟେଣ୍ଟ ଭୁଷୁଡ଼ି ପଡ଼ିଥିଲା । ଫଳରେ ଟେଣ୍ଟ ତଳେ ଥିବା ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଧିକାରୀ, ଇସ୍ତଫା ଦେଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ଥିବା ପିଏସଓ ଓ ପୁଲିସ କର୍ମଚାରୀ ଚାପି ହୋଇ ଆହତ ହୋଇଥିଲେ । ମାତ୍ର ଉପସ୍ଥିତ ପୁଲିସ, ଟେଣ୍ଟ ତଳୁ ବାହାରକୁ ବାହାରି ଆସିଥିବା ଶିକ୍ଷକ ଓ ଅନ୍ୟମାନେ ତୁରନ୍ତ ଟେଣ୍ଟ ତଳେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସୂଚନା ପାଇ ଦେବଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ପବନ ପ୍ରଭାବରେ ଷ୍ଟେଜ ଓ ଟେଣ୍ଟରେ ଖଞ୍ଜା ଯାଇଥିବା ଏଲଇଡି, ଚୌକି ଓ ସାଉଣ୍ଡ ସିଷ୍ଟମ ଆଦି ଭାଙ୍ଗିରୁଜି ଯାଇଥିଲା । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଦେବଗଡ଼ର ପାଳି ପଡ଼ିବା ପୂର୍ବରୁ ଝଡ଼ ପବନ କାର୍ଯ୍ୟକ୍ରମକୁ ଛାରଖାର କରି ଦେଇଥିଲା । ଘଟଣାସ୍ଥଳରେ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଏସପି ରାଜକିଶୋର ପାଇକରାୟ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।