ସୌର ପ୍ରକଳ୍ପକୁ ନେଇ ସଇଁନ୍ତଲା କୋର୍ଟ ପରିସରରେ ଚାପ ଉତ୍ତେଜନା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀପାଲି ପଞ୍ଚାୟତର ଡୁଙ୍ଗୁରୀପାଲି ଓ ତେଣ୍ଡିପାଲି ନିକଟରେ ନିର୍ମାଣ ହେଉଥିବା ସୌର ପ୍ରକଳ୍ପକୁ ଜିଲ୍ଲା ଯୁବ କନ୍ଧ ସମାଜ ଦୀର୍ଘ ଦିନରୁ ବିରୋଧ କରି ଆସୁଥିଲା । ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟ ରହିତାଦେଶ ଦେଇଥିଲେ ହେଲେ ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା । ସେଥିପାଇଁ ପୁଣିଥରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ ହେଲେ ଯୁବ କନ୍ଧ ସମାଜ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ଅନ୍ଦୋଳନ କରି ଆସୁଥିଲେ । ଏଭଳି ସ୍ଥିତିରେ ଗତକାଲି ଖୁସିରାମ ଜାନୀ ନାମକ ଜଣେ କନ୍ଧ ସମାଜର କାର୍ଯ୍ୟକର୍ତ୍ତା ବିଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟକଳାପ କରୁଥିବା ନେଇ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ପ୍ରତିବାଦରେ ଆଜି ଯୁବ କନ୍ଧ ସମାଜର କାର୍ଯ୍ୟକର୍ତ୍ତା ସଇଁନ୍ତଲା ସିଭିଲ କୋର୍ଟ ପରିସରରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ବେଳେ କିଛି ଆନ୍ଦୋଳନକାରୀ କୋର୍ଟ ପରିସରକୁ ଜୋରଜବରଦସ୍ତ ପ୍ରବେଶ କରିବା ସହ ପୁଲିସ, ଆଇନଜୀବୀ ଓ କିଛି ଗଣମାଧ୍ୟମ ପ୍ରତିନିଧିକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ । ୨ଜଣ ଆନ୍ଦୋଳନକାରୀ ଧନେଶ୍ୱର ମାଝୀ ଓ ଲାଲୁ ମାଝୀଙ୍କୁ ଅଟକ ରଖିଥିବାବେଳେ ବଲାଙ୍ଗୀର ଏସପି ନୀତିନ କୁଶଳକର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯୁଷ୍ଠାନ ନେବା ପାଇଁ କହିଥିଲେ । ଏହି ସମୟରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ଓ ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ ବରିହାଙ୍କ ସମେତ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।