ମହଙ୍ଗା ପଡ଼ିଲା ଟେଣ୍ଡର ଫିକ୍ସିଂ: ଠିକାଦାର ସମେତ ୬ ଗିରଫ

କଟକ,ଏନ୍ଏନ୍ଏସ୍: କଟକ ନୂଆବଜାର ତାଳଦଣ୍ଡା କେନାଲ ବ୍ରିଜ ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ତଦନ୍ତ କରି ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ କଟକ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀ, ଅବସରପ୍ରାପ୍ତ ଯନ୍ତ୍ରୀ, ଆକାଉଣ୍ଟ ଅଫିସର ଓ ଠିକାଦାର ସମ୍ପୃକ୍ତ ଅଛନ୍ତି। ମୁଖ୍ୟତଃ ଟେଣ୍ଡର ଫିକ୍ସିଂ ନେଇ ଗୁରୁତର ଅଭିଯୋଗ ଆସିବାପରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା।

କଟକ ପୂର୍ତ୍ତ ବିଭାଗର ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିମଳ ଦାସ (ଅବସରପ୍ରାପ୍ତ), ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡା, ସହକାରୀ ଯନ୍ତ୍ରୀ ରଂଜନ ଦେବତା, ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀ ଦଳବେହେରା, ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ ଏବଂ ଅବସରପ୍ରାପ୍ତ ଆକାଉଣ୍ଟସ ଅଫିସର ଅବନୀକାନ୍ତ ରାଉତ ଓ ସଂପୃକ୍ତ ଠିକାଦାର ତୃପ୍ତି ରଞ୍ଜନ ଦେବତା। ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ସେମାନଙ୍କୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତରେ ରଖାଯିବ। କଟକ ଭିଜିଲାନ୍ସରେ କେସ ନମ୍ବର ୪୫/୨୦୧୯, ଦୁର୍ନିତୀ ନିବାରଣ ଆଇନ ୧୯୮୮ ଧାରା ୧୩(୧)(ଏ) ୧୩(୨)ରେ ଏହି ମାମଲା ରୁଜ୍ଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରୀ ରହିଛି।

ଅଭିଯୋଗରୁ ପ୍ରକାଶ ଯେ, ତାଳଦଣ୍ଡା କେନାଲ ଉପରେ ଏହି ବ୍ରିଜ ନିର୍ମାଣରେ ଟେଣ୍ଡର ଫିକ୍ସିଂ ହୋଇଥିଲା। ନିମ୍ନମାନର କାମ ହୋଇ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା କରାଯାଇଥିବା ନେଇ ଜନୈକ ବ୍ୟକ୍ତି ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ମାନ୍ୟବର ଅଦାଲତ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।