ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ଖୋଲିଲା ଅସ୍ଥାୟୀ ପନିପରିବା ବଜାର

ବରଗଡ,ଏନ୍ଏନ୍ଏସ୍: ଲକଡାଉନର ତୃତୀୟ ଦିନରେ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ଅସ୍ଥାୟୀ ପନିପରିବା ବଜାର ଖୋଲାଯାଇଛି। ପନିପରିବା ବଜାରରେ ଜିଲ୍ଳା ପ୍ରଶାସନ ତରଫରୁ ସାମାଜିକ ଦୂରତ୍ୱ ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ପନିପରିବା ବଜାର ସକାଳ ୬ ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ପଡିଆର ଚର୍ତୁଦିଗରେ ଚାଷୀ ତଥା ବିକ୍ରେତାମାନେ ପନିପରିବା ବିକୁଛନ୍ତି।

ସେହିପରି ଲକଡାଉନ ପର୍ଯ୍ୟନ୍ତ ଏଠାରେ ପନିପରିବା ବିକ୍ରି ହେବ ବୋଲି ସୂଚନା ମିିଳିଛି। ବରଗଡ଼ ଏସପି ପଦ୍ମିନୀ ସାହୁ , ଉପଜିଲ୍ଳାପାଲ ପ୍ରଭାସ ଚନ୍ଦ୍ର ଡନସେନା ସମେତ ପୁଲିସ ବାହିନୀ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। ଅପରପକ୍ଷେ ଆଜି ଠାରୁ ସହରରେ କିରାନା ଦୋକାନ ଏବଂ ପେଟ୍ରୋଲ ପମ୍ପ ଗୁଡିକ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ବରଗଡ଼ ପୌରପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।