କରୋନା ସହ ଗ୍ରୀଷ୍ମ ପ୍ରକୋପ : ୪୧ ଡିଗ୍ରୀ ଛୁଇଁଲା ପାରଦ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଂଚିଥିବାବେଳେ ଅନ୍ୟପଟେ ଗତ ତିନି ଦିନ ହେଲା ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ସକାଳ ୯ ଘଟିକା ପରେ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ବିଭିନ୍ନ କାର୍ଯ୍ୟାଳୟରେ ଥିବା କାର୍ଯ୍ୟ ପାଇଁ ଗରମକୁ ଭୟ କରି ଲୋକେ ପଦାକୁ ବାହାରୁ ନାହାନ୍ତି। ଫଳରେ ରାସ୍ତା ଜନଶୂନ୍ୟ ହୋଇପଡ଼ିଛି। ଆଉ ବାହାରକୁ ବାହାରୁଥିବା ଲୋକେ ଆଖୁ ରସ, ଲସି, ଫଳ ରସ ଦୋକାନରେ ଭିଡ଼ ଜମାଉଛନ୍ତି।

ସୂଚନାଯୋଗ୍ୟ ଯେ, କରୋନା ଯୋଗୁ ଗତ କିଛି ଦିନ ଧରି ବ୍ୟବସାୟ ଠପ୍ ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରୁନଥିବାରୁ ବ୍ୟବସାୟ ମଧ୍ୟ ମାନ୍ଦା ହୋଇଛି। ମାଲକାନଗିରିର ଭାତ ହାଣ୍ଡି କୁହାଯାଉଥିବା ସତୀଗୁଡ଼ା ଜଳଭଣ୍ଡାରର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ପ୍ରତିବର୍ଷ ଏହି ସମୟରେ ପଂଚାୟତ, ସାପ୍ତାହିକ ହାଟ, ଦୈନିକ ବଜାର, ବିଭିନ୍ନ ବ୍ଲକ ସଦରମହକୁମା, ଜିଲ୍ଲାସଦର ମହକୁମା, ପ୍ରତ୍ୟେକ କାର୍ଯ୍ୟାଳୟ, ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦରେ ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳର ସୁବିଧା କରାଯାଇଥାଏ। ପ୍ରତି ବିଶ୍ରାମାଗାରରେ ମାଟିହାଣ୍ଡିରେ ଥଣ୍ଡା ପାନୀୟ ଜଳ ପାନ କରିବା ପାଇଁ ପ୍ରଶାସନ ତରଫରୁ ଜଳଛତ୍ର ଖୋଲା ଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ ଜଳଛତ୍ର କେନ୍ଦ୍ର ଉଭା ହୋଇଯାଇଛି। ତେଣୁ ଶୀଘ୍ର ଜଳଛତ୍ରର ବ୍ୟବସ୍ଥା କରିବାକୁ ପଥଚାରୀମାନେ ଦାବୀ କରିଛନ୍ତି।