ବେରୋଜଗାର ଶିକ୍ଷକଙ୍କୁ ମାସିକ ୨ ହଜାର ଟଙ୍କା ଓ ୨୫ କିଲୋ ଚାଉଳ ଦେବେ ସରକାର

ହାଇଦ୍ରାବାଦ୍‌,ଏଜେନ୍ସି: କରୋନା ମହାମାରୀ ଯୋଗୁଁ ଚାକିରି ହରାଇଥିବା ଘରୋଇ ସ୍କୁଲର ଶିକ୍ଷକଙ୍କ ଲାଗି ଆଜି ତେଲେଙ୍ଗାନା ସରକାର ବଡ଼ ଘୋଷଣା କରିବେ। କେସିଆର ସରକାର ଏଭଳି ଶିକ୍ଷକଙ୍କୁ ମାସିକ ୨ ହଜାର ଟଙ୍କା ଓ ୨୫ କିଲୋ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଦେଶରେ କରୋନା ଭାଇରସ ମହାମାରୀ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବିଗତ ବର୍ଷ ଆସିଥିବା କରୋନାର ପ୍ରଥମ ଲହରରେ ଅନେକ ସ୍ଥାନରେ ଘରୋଇ ସ୍କୁଲର ଶିକ୍ଷକଙ୍କ ଚାକିରି ଚାଲିଯାଇଛି। ଚଳିତ ବର୍ଷ କେବେ ସ୍କୁଲ ଖୋଲିବ ତାହା ମଧ୍ୟ କହିବା ଅସ୍ପଷ୍ଟ। ଘରୋଇ ସ୍କୁଲର ଶିକ୍ଷକଙ୍କ ଲାଗି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବଡ଼ ପଦକ୍ଷେପ ନେଇଛନ୍ତି।

କେସିଆର ଘୋଷଣା କରିଛନ୍ତି ଯେ, ତେଲେଙ୍ଗାନାର ମଞ୍ଜୁରୀପ୍ରାପ୍ତ ଘରୋଇ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ସରକାର ସହଯୋଗ କରିବେ। ଏଭଳି ଲୋକଙ୍କୁ ମାସକୁ ୨ ହଜାର ଟଙ୍କା ଓ ୨୫ କିଲୋ ଚାଉଳ ଯୋଗାଇ ଦେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସାହାଯ୍ୟ ପାଇବାକୁ ହେଲେ ନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯିବାକୁ ପଡିବ। ସେମାନଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ପ୍ରମାଣପତ୍ର ଦେବାକୁ ପଡ଼ିବ।

ଶିକ୍ଷାମନ୍ତ୍ରୀ ସବିତା ଇନ୍ଦ୍ରା ରେଡ୍ଡୀ, ଯୋଗାଣ ମନ୍ତ୍ରୀ ଗଙ୍ଗୁଲା କମଲାକର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ରାଜୀବ ଶର୍ମାଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଭିଡିଓ କନଫରେନ୍ସିଂ ବୈଠକର ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ କେସିଆର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହିବେ। ଏହି ବୈଠକରେ ଘରୋଇ ସ୍କୁଲର କର୍ମଚାରୀଙ୍କୁ ସହଯୋଗ ଲାଗି ହୋଇଥିବା ଯୋଜନା ସଂପର୍କିତ ନିର୍ଦ୍ଦେଶନାମା ଜାରି ହେବ।