ମୃତକ ଚାଷୀଙ୍କ ପରିବାରକୁ ତେଲେଙ୍ଗାନା ସରକାର ଦେବେ ୩-୩ ଲକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଦ୍ବାରା କୃଷି ଆଇନ୍‌ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଦେଶରେ ଚାଷୀଙ୍କୁ ନେଇ ରାଜନୀତି ତୀବ୍ର ହୋଇଯାଇଛି। ପଂଜାବ ସରକାର ଦ୍ବାରା ଆନ୍ଦୋଳନ ସମୟରେ ଚାଷୀଙ୍କୁ ଅନୁକମ୍ପା ଦେବାକୁ ଘୋଷଣା ହେବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକ ଚାଷୀଙ୍କ ପରିବାରକୁ ୩-୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେଲେଙ୍ଗାନା ସରକାର କୃଷି ଆଇନ ବିରୋଧରେ ୧ ବର୍ଷ ହେବ ଚାଲିଥିବା ଆନ୍ଦୋଳନରେ ମୃତ ପାଖପାଖି ୭୫୦ ଚାଷୀଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଦେବେ। ସରକାର ଏହି ଅନୁକମ୍ପାମୂଳକ ରାଶି ପାଇଁ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରିବେ।

ଶ୍ରୀ ରାଓ କେନ୍ଦ୍ର ସରକାରଙ୍କ ନିକଟରେ ଆନ୍ଦୋଳନ ସମୟରେ ହରାଇଥିବା ନିଜ ଲୋକଙ୍କର ପରିବାରକୁ ୨୫ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଦାବି କରିଛନ୍ତି। ସେ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏଥି ସହିତ ବିଦ୍ୟୁତ୍‌ (ସଂଶୋଧନ) ବିଧେୟକ ଫେରାଇ ନେବାକୁ ଅପିଲ କରିଛନ୍ତି। କେସିଆର ରବିବାର ଦିଲ୍ଲୀରେ ଏକ ପ୍ରତିନିଧିମଣ୍ଡଳର ନେତୃତ୍ବ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି।