ଆତ୍ମନିର୍ଭର ଭାରତ ପାଇଁ ଖେଳନା ଶିଳ୍ପର ବିକାଶ ଉପରେ ଗୁରୁତ୍ୱ

ମୋଦୀଙ୍କ ‘ମନ୍ କି ବାତ୍’ର ୬୮ତମ ସଂସ୍କରଣ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆକାଶବାଣୀ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୬୮ତମ ସଂସ୍କରଣରେ ଆତ୍ମନିର୍ଭର ଭାରତକୁ ଗୁରୁତ୍ୱ ଦେଇ ଖେଳନା ଶିଳ୍ପର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ବିଶ୍ୱରେ ୭ ଲକ୍ଷ କୋଟି ଟଙ୍କାର ଖେଳନା ଶିଳ୍ପରେ ଭାରତର ଯୋଗଦାନ ଅତ୍ୟନ୍ତ ନଗନ୍ୟ। ସ୍ଥାନୀୟ ଖେଳନାକୁ ଗୁରୁତ୍ୱ ଦିଆଯିବାର ସମୟ ଆସିଛି। ନୂଆ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ସେ ଉଲ୍ଲେଖକରି ପିଲାମାନଙ୍କ ସୃଜନଶୀଳତା ବୃଦ୍ଧିରେ ଖେଳନା ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବ ଉଦ୍ୟୋଗୀମାନେ କମ୍ପ୍ୟୁଟର ଗେମର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି ଭାରତୀୟମାନଙ୍କର ମୌଳିକତା ଓ ସୃଜନୀଶକ୍ତିକୁ ସାରା ବିଶ୍ୱ ସ୍ୱୀକାର କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍ କି ବାତ୍’ରେ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସାରା ଦେଶରେ ‘ପୋଷଣ ମାସ’ ଭାବରେ ପାଳନ କରାଯିବ। ଦେଶ ଓ ପୋଷଣର ଏକ ଗଭୀର ସମ୍ପର୍କ ଅଛି। କଥାରେ ଅଛି, ‘ଯଥା ଅନ୍ନମ୍ ତଥା ମନ୍ନମ୍’। ଏହାର ଅର୍ଥ ହେଉଛି, ଆମେ ଯେମିତି ଖାଦ୍ୟ ଖାଇବା ସେହି ଅନୁସାରେ ଆମର ମାନସିକ ଏବଂ ବୌଦ୍ଧିକ ବିକାଶ ହେବ। ସେଥିପାଇଁ ଆମକୁ ପୋଷଣ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ପୋଷଣର ଅର୍ଥ କେବଳ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି ତାହା ନୁହେଁ, ଏହାର ଅର୍ଥ ଆପଣଙ୍କ ଶରୀରକୁ କେତେ ଜରୁରୀ ପୋଷକତତ୍ୱ ମିଳୁଛି। କାରଣ ଏକ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ରହିଥାଏ, ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞମାନେ କହିଛନ୍ତି ଯେ, ଶିଶୁକୁ ଗର୍ଭରେ ଏବଂ ପିଲାଦିନେ ଯେତେ ଭଲ ପୋଷଣ ମିଳିଥାଏ, ତା’ର ମାନସିକ ବିକାଶ ସେତେ ଭଲ ଏବଂ ସେ ସେତେ ସୁସ୍ଥ ହୋଇଥାଏ। ପିଲାମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ପଡିବ।