ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ

ମଥୁରା,ଏଜେନ୍ସି: ଉତ୍ତର ପ୍ରଦେଶର ମଥୁରାରେ ଏକ ଚଳନ୍ତା ବସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣାଟି ମଥୁରାର ଟୋଲ ପ୍ଲାଜା ନିକଟରେ ଘଟିଛି। ବସଟି ଲଖନଓରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସରେ ୪୦ ଜଣ ଯାତ୍ରୀ ଥିଲେ ମଧ୍ୟ ଦୁଷ୍କର୍ମ ବେଳେ କେହି ବି ଏକଥା ଜାଣିନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବସର ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଫୋନରେ ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ପରେ ପୁଲିସ ବସକୁ ଅଟକାଇ ହେଲ୍ପରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର ସୂଚନା ଅନୁଯାୟୀ, ମହିଳାଜଣକ ଦିଲ୍ଲୀର ଅଧିବାସୀ। ସେ ଲଖନଓରୁ ଦିଲ୍ଲୀ ଅଭିମୁଖେ ଏକ ଡବଲ ଡେକର ବସରେ ଆସୁଥିଲେ। ଟୋଲ ପ୍ଲାଜା ପାଖରେ ବସ୍ ଅଟକିଲା ପରେ ମହିଳା ଜଣକ ହେଲ୍ପର କୁ ମାଡପିଟ୍ କରିବାରୁ ଘଟଣା ସମ୍ପର୍କରେ ଯାତ୍ରୀମାନେ ଜାଣିବାକୁ ପାଇଥିଲେ।