ଟିମ୍‌ ଇଣ୍ଡିଆର ନୂଆ ଜର୍ସି

ମୁମ୍ବାଇ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ନୂଆ ଜର୍ସିରେ ନଜର ଆସିବ ଭାରତୀୟ କ୍ରିକେଟ ଦଳ । ଆଗାମୀ ଆଇସିସି ଡବ୍ଲୁଟିସି ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଲୋକପ୍ରିୟ କ୍ରୀଡା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଆଦିଦାସ ଏବେ ଭାରତୀୟ ଦଳର ନୂଆ କିଟ ପ୍ରାୟୋଜକ ବା ସ୍ପନ୍ସର ହୋଇଛି । ଆଗାମୀ ୫ ବର୍ଷ ପାଇଁ ଭାରତୀୟ ଦଳର ଜର୍ସି ପ୍ରାୟୋଜକ ଭାବେ ଚୁକ୍ତି କରିଛି । ୨୦୨୮ ଯାଏ ସ୍ପନ୍ସର ରହିବ ଆଦିଦାସ । ବିଶ୍ବ ଟେଷ୍ଟ ଚମ୍ପିଆନସିପକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଏହା ପୂର୍ବରୁ କ୍ରିକେଟର ସମସ୍ତ ୩ଟି ଫର୍ମାଟ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ୩ଟି ଫର୍ମାଟ ପାଇଁ ୩ଟି ଅଲଗା ଜର୍ସି ପିନ୍ଧି ଖେଳିବେ ଭାରତୀୟ କ୍ରିକେଟ ଟିମ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୩ଟି ଯାକ ଫର୍ମାଟ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ପାଇଁ ସ୍ବତନ୍ତ୍ର ନୂଆ ଜର୍ସି ଡ୍ରୋନ ଜରିଆରେ ପ୍ରଦର୍ଶିତ ହୋଇଛି । ଟେଷ୍ଟ କ୍ରିକେଟ ପାଇଁ ପ୍ରସ୍ତୁତ ଜର୍ସି ବେଶ ଚମତ୍କାର ହୋଇଛି । ଧଳ ଜର୍ସିର ସମ୍ମୁଖ ଭାଗରେ ନୀଳ ରଙ୍ଗରେ ଇଣ୍ଡିଆ ଲେଖା ହୋଇଛି । ଏହା ଉପରକୁ ବିସିସିଆଇ ଲୋଗୋ ରହିଛି । ଡାହାଣ ପାଖକୁ ଆଦିଦାସ ଲୋଗୋ ରହିଛି । ସେହିପରି ଟି-ଟ୍ବେଣ୍ଟି ଓ ଦିନିକିଆ ଜର୍ସି ମଧ୍ୟ ଖୁବ ସୁନ୍ଦର ହୋଇଛି । ଏଥିରେ ଜର୍ସି ମଧ୍ୟ ଭାଗରେ କମଳା ରଙ୍ଗରେ ଇଣ୍ଡିଆ ଲେଖା ହୋଇଛି । ଦିନିକିଆ ପାଇଁ ନୀଳ ରଙ୍ଗ ଓ ଚି-ଟ୍ବେଣ୍ଟି ପାଇଁ ଗାଡ ନୀଳ ରଙ୍ଗର ଜର୍ସି ପ୍ରସ୍ତୁତ ହୋଇଛି ।