ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମାଁ ଭୈରବୀ ମନ୍ଦିର ନିକଟରେ ପାଖାପାଖି ବର୍ଷେ ହେବ ଖୋଲିଥିବା ‘ଟି ମେଟ’ରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଏନେଇ ମାଲିକ ଅନନ୍ତ କରକରିଆ ପ୍ରକାଶ କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଦୋକାନରେ କାର୍ଯ୍ୟରତ ସହାୟକ ସୁନିଲ ବାଗ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ରାତି ୧୨ଟାରେ ସେଇ ବାଟ ଦେଇ ରେଲୱେ କ୍ରଶରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ସିପ୍ଟ ଡ୍ୟୁଟିରେ କାମକୁ ଯାଉଥିବା ସମୟରେ ଦୋକାନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଫୋନ୍ କରି ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଦୋକାନ ବୋର୍ଡରୁ ମୋବାଇଲ ନମ୍ୱର୍ ନେଇ ରାୟଗଡ଼ାରେ ରହୁଥିବା ଦୋକାନ ମାଲିକ ଶ୍ରୀଯୁକ୍ତ କରକରିଆଙ୍କୁ ଖବର କରିଥିଲେ । ରାତିରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ରେଲୱେ କ୍ରସର କର୍ମଚାରୀଙ୍କ ମାନବିକତା ଓ ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଅନେକ କ୍ଷୟକ୍ଷତିରୁ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଅଳ୍ପକେ ବର୍ତ୍ତି ଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ସୁନ୍ଦର ନାୟକ, ପ୍ରମୋଦ ସାହୁ, ବିଶ୍ୱନାଥ ସାହୁକାର, ଦେବାନନ୍ଦ ଦାସ ଓ ମଦନ ସେଠୀ ପ୍ରମୁଖଙ୍କ ଅକ୍ଲାନ୍ତ ପ୍ରୟାସ ଫଳରେ ଏହି ଦୁର୍ଘଟଣା ସାଧାରଣ କ୍ଷତିରେ ସୀମିତ ରହିଥିବାରୁ ମୁନିଗୁଡ଼ା ଅଞ୍ଚଳରେ ସେମାନଙ୍କୁ ଅନେକ ପ୍ରଶଂସା ମିଳୁଛି । ଏହି ‘ଟି ମେଟ’ରେ ଗତ ୩ ମାସ ପୂର୍ବରୁ ଏକ ଚୋରି ହୋଇଥିଲା । ଏହି ଘଟଣାକୁ ନେଇ ଶ୍ରୀଯୁକ୍ତ କରକରିଆ ମୁନିଗୁଡ଼ା ଥାନାରେ ଜଣାଇଥିଲେ । ମାଲିକଙ୍କ କହିବା କଥା କେହି ଦୁର୍ବୃତ୍ତ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତି ଇର୍ଷା କରି ବାରମ୍ବାର ଏଭଳି ପଦକ୍ଷେପ ନେଉଛି ।