ଭଗେଇପାଲି ନାଳକୁ ଖସିଲା ଟାଟା ମ୍ୟାଜିକ୍ : ୭ ଆହତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ଥାନା ଭଗେଇପାଲି ନାଳକୁ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍ ଆଜି ସକାଳେ ଖସିପଡିଛି। ଫଳରେ ଏଥିରେ ଥିବା ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନେ ଲକ୍ଷ୍ଣଣ ବେହେରା(୪୫), ବିଶ୍ୱଜିତ ଘାରା(୪୦), ସୌମେନ୍ଦ୍ର ମିଶ୍ର (୩୦), ଚଣ୍ଡିଚରଣ ମଣ୍ଡଳ(୪୦), ସୁଶାନ୍ତ ମେତ୍ୟା(୩୮), ସମୀର ଭଟ୍ଟାଚାର୍ଯ୍ୟ(୪୭) ଓ ଶେଖ ମୁଜମ୍ମିଲ ହୁସେନ(୩୭)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବଡ଼ମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଝାରସୁଗୁଡାର ଏକ ଘରୋଇ କମ୍ପାନୀରୁ ଶ୍ରମିକମାନଙ୍କୁ ନେଇ ଏହି ଟାଟା ମ୍ୟାଜିକଟି ଭୁର୍କାମୁଡା ଗ୍ରାମ ଅଭିମୁଖେ ଯାଉଥିଲା। ତେବେ କୌଣସି କାରଣ ବଶତଃ ଭଗେଇପାଲି ନାଳ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ଫଳରେ ଏହି ମ୍ୟାଜିକ ଭିତରେ ଥିବା ଶ୍ରମିକମାନେ ଆହତ ହୋଇଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ବଡମାଲ ପୁଲିସ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେଠାରେ ସମସ୍ତଙ୍କ ଚିକିତ୍ସା କରାଯିବାସହ ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।