ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ମା’ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ଠାରୁ(ସୋମବାର) ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର । ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠକୁ ଯିବା ପାଇଁ ମୁଖ୍ୟ ଗେଟ୍ରୁ ମନ୍ଦିର ଯିବା ପାଇଁ ବସ୍‌ସେବା ଯୋଗାଇ ଦିଆଯିବ। ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ମା’ଙ୍କ ମୁଖ୍ୟ ପୀଠକୁ କୌଣସି ବେସରକାରୀ ବସ୍‌ ନ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ମା’ଙ୍କ ମନ୍ଦିର ତଥା ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ତୃତୀୟ ପର୍ଯ୍ୟାୟ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପ୍ରତି କୌଣସି ସମସ୍ୟା ହେଲେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଦୀର୍ଘକାଳୀନ କୋଭିଡ କଟକଣା ବେଳେ ମା’ଙ୍କ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାଧାରଣ ଭକ୍ତଙ୍କ ଯାତାୟତ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା।

ବର୍ତ୍ତମାନ ମନ୍ଦିରର ଅନେକ ଉନ୍ନତିମୂଳକ କାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମା’ଙ୍କୁ ଦର୍ଶନ କରି ଫେରିଛନ୍ତି। ଏହାପରେ ମନ୍ଦିର ମା’ଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଖୁବ୍‌ଶୀଘ୍ର ଭକ୍ତଙ୍କ ପାଇଁ ଆପ୍ ସୁବିଧା ମଧ୍ୟ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।