ଭୁବନେଶ୍ବର/ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା’ ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡ ସ୍ଥିତ ମାଆଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମାଆ ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ପ୍ରତିଷ୍ଠା ଉତ୍ସବ ହୋଇଛି। ପବିତ୍ର ମନ୍ତ୍ରଧ୍ବନିର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଓଡିଶା ଦେବଭୂମି’। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ। ଏଠାରେ ଗାଁ ଗାଁରେ ମାଆଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି। ଗଞ୍ଜାମବାସୀଙ୍କ ସୁଖଦୁଃଖରେ ଆମେ ଇଷ୍ଟ ଦେବୀ ମାଆ ତାରାତାରିଣୀଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କରି ଆଶୀର୍ବାଦ ଓ ଇଚ୍ଛାରେ ହିଁ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
