ତାମିଲନାଡ଼ୁ ବର୍ଷା: ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କ ଆଦେଶ

ତାମିଲନାଡ଼ୁ: ତାମିଲନାଡ଼ୁର ଅନେକ ସହରରେ ବର୍ଷା ଓ ବନ୍ୟା ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚେନ୍ନାଇ ସମେତ ଅନେକ ସହରରେ ଆଗାମୀ ୨ ଦିନ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଉଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ଏହାପରେ କିଛି ଜାଗାରେ ଉଦ୍ଧାର କାର୍ଯ୍ୟ ତ୍ୱରିତ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏବେ ବି ଆଉ କିଛି ଜାଗାରେ ଉଦ୍ଧାର କାର୍ଯ୍ୟ କରାଯାଉ ନଥିବା ଅଭିଯୋଗ ହୋଇଛି।

ସେହିପରି ଭାରି ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁର ୨୨ ଜିଲ୍ଲାରେ ୨ଦିନ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଚତୁଃପାଶ୍ୱର୍ ଜଳମଗ୍ନ ହୋଇଥିବାରୁ ୪ ଦିନ ହେବ ବିଜୁଳି ମଧ୍ୟ ନାହିଁ। ଏହାସତ୍ୱେ ପାଣି ବାହାର କରିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଲୋକଙ୍କ ବିରୋଧ ପ୍ରଦର୍ଶନ ପରେ କିଛି ଜାଗାରେ ପମ୍ପ ଆଣି ପାଣି କାଢ଼ିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।