ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ତାମିଲ ସଙ୍ଗମ ଆନୁକୂଲ୍ୟରେ ଓ ତାମିଲନାଡୁ ସରକାରଙ୍କ ନୃତ୍ୟ, ସଂଗୀତ ଓ ନାଟକ ଏକାଡେମୀ ସହଯୋଗରେ ଆଜି ଏହାର ୩୦ ତମ ପ୍ରତିଷ୍ଠା ଦିବସ, ସ୍ୱାଧୀନତା ସଂଗ୍ରାମୀ ତଥା ତାମିଲ ବିପ୍ଳବୀ କବି ସୁବ୍ରମଣ୍ୟମ ଭାରତୀଙ୍କ ଶତାବର୍ଷିକ ଶ୍ରାଦ୍ଧଦିବସ ଓ ତାମିଲ ପଣ୍ଡିତ ମାରାମଲେଇ ଆଡିଗଲଙ୍କ ଜନ୍ମଦିନ ନୟାପଲ୍ଲୀ ଭିଆପି କଲୋନୀ ନିଜସ୍ୱ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ତାମିଲ ସଙ୍ଗମର ସଭାପତି ଶ୍ରୀ ଏସ୍ ଦୁରେଇସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତାମିଲନାଡୁ ସରକାରଙ୍କ ନୃତ୍ୟ, ସଂଗୀତ ଓ ନାଟକ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର, ମୁଖ୍ୟ ଅତିଥି, ତାମିଲନାଡୁର ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ଶ୍ରୀମତୀ ଉଲଗାନାଏଗି, ମୁଖ୍ୟବକ୍ତା, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼. ମୁରୁଗେସନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ଭାରତ ନାଟ୍ୟମ ନୃତ୍ୟ ସହିତ ସମାରୋହ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ତାମିଲ ସଙ୍ଗମର ସାଧାରଣ ସମ୍ପାଦକ ଶ୍ରୀ ଟି.ବି.ଟି ଆନସାରୀ ସ୍ୱାଗତ ଭାଷଣ ଦେବ ସହ ଓ ସମାରୋହ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ତାମିଲ ଆଉ ଓଡିଶା କଳା, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସାମଞ୍ଜସ୍ୟ ରହିଛି। ଉନ୍ନତ ଓ ଅଭିବୃଦ୍ଧିଶୀଳ ଓଡିଶା ଗଠନରେ ଓଡ଼ିଆ ତାମିଲଙ୍କର ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତୀ ଉଲଗାନାଏଗି ତାଙ୍କ ବକ୍ତବ୍ୟରେ ମାତୃଭାଷାର ବିକାଶ ବିନା ମଣିଷର ବିକାଶ ଚିନ୍ତା କରିବା ଅସମ୍ଭବ। ଯେଉଁ ରାଜ୍ୟର ମାତୃଭାଷା ଯେତେ ବିକଶିତ ସେହି ରାଜ୍ୟ ସେତେ ଉନ୍ନତ ବୋଲି ପ୍ରକାଶ କରିଥିଲେ। ପ୍ରାକ୍ ଇତିହାସ କାଳରୁ ଓଡ଼ିଆ ଓ ତାମିଲ ଭାଷାର ସାମଞ୍ଜସ୍ୟ ରହିଛି ବୋଲି ପ୍ରକାଶ କରିଥିଲେ।
ତାମିଲ ଭାଷାର ଅନେକ ସାହିତ୍ୟ ଏବେ ଓଡ଼ିଆରେ ଅନୁବାଦ କରାଯାଇଛି ଓ ଓଡ଼ିଆ ଭାଷାର ଗ୍ରନ୍ଥ ମଧ୍ୟ୍ୟ ତାମିଲକୁ ଅନୁବାଦ ହୋଇଛି ବୋଲି କହିଥିଲେ। ତାମିଲ ସଙ୍ଗମର ସଭାପତି ଶ୍ରୀ ଦୁରାଇସ୍ୱାମୀ ଓ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀ ମୁରୁଗେସନ ଉପସ୍ଥିତ ଅତିଥି ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ତାମିଲ ସଙ୍ଗମର ପୂର୍ବତନ ସାଧାରଣ ସମ୍ପାଦକ ଏନ୍ କାଶୀନାଥନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ତାମିଲନାଡୁର ୩୫ ଜଣ ଲବ୍ଧ ପ୍ରତିଷ୍ଠିତ କଳାକାରମାଙ୍କ ଦ୍ୱାରା ଭରତ ନାଟ୍ୟମ, ଲୋକ ନୃତ୍ୟ ସମର୍ଥନ କଳା, ସଂଗୀତ ଓ ବାଦ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତାମିଲ ସଙ୍ଗମର ଅନନ୍ତ ରମଣ, ଏମ୍ଜି ରାଜା, ଭାରତୀ ପ୍ରିୟନ, ସଚ୍ଚିଦାନନ୍ଦମ, ଶିବ ସେନଥିଲ, ରମେଶ ବାବୁ, ବିଜୟ ନାଥନ ଓ ତାମିଲ ସଙ୍ଗମର ମହିଳା ସଂଗଠନ ପରିଚାଳନା କରିଥିଲେ।