ବିଜେପି ପ୍ରବକ୍ତା ତେଜିନ୍ଦର ପାଲ ସିଂହ ବଗା ଗିରଫ, କୁରୁକ୍ଷେତ୍ରରୁ ଆଣିବା ପାଇଁ ପହଞ୍ଚିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ତେଜିନ୍ଦର ପାଲ ସିଂହ ବଗାଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି । ତେଜିନ୍ଦର ହରିୟାଣାରେ ଥିବାରୁ ତାଙ୍କୁ ଆଣିବା ପାଇଁ ଦିଲ୍ଲୀ ପୁଲିସ କୁରୁକ୍ଷେତ୍ର ପହଞ୍ଚିଥିଲା । ପରେ ହରିୟାଣା ପୁଲିସ ତେଜିନ୍ଦରଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା । ତେଜିନ୍ଦର ବଗାଙ୍କ ବିରୋଧରେ ଏପ୍ରିଲରେ ମାମଲା ଦାୟର ହୋଇଥିଲା । ତଜିନ୍ଦରଙ୍କ ନାଁରେ ଉସୁକାଇବା, ଶତ୍ରୁତାକୁ ବଢ଼ାଇବା ଓ ଅପରାଧିକ ଧମକ ଭଳି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, କଶ୍ମୀର ପଣ୍ଡିତଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଟ୍ୟାକ୍ସ ଫ୍ରି କରିବାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ବୟାନ ଦେଇଥିଲେ । ଏହାକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା । ପରେ ତେଜିନ୍ଦର ଟ୍ୱିଟ୍ କରି କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାପୂର୍ବରୁ ଛିତିଶଗଡ଼ରେ ତେଜିନ୍ଦରଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଏଥିରେ ତାଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବାର ଆରୋପ ଥିଲା ।