ତାଇୱାନର ଲଢୁଆ ଜେଟ୍ ନିଖୋଜ

ତାଇପେଇ,ଏଜେନ୍ସି: ତାଇୱାନର ଏକ ଏଫ୍-୧୬ ଲଢୁଆ ଜେଟ୍ ନିଖୋଜ ହୋଇଯିବା ପରେ ସମ୍ପୃକ୍ତ ସରକାରଙ୍କ ପକ୍ଷରୁ ଦେଶରେ ଥିବା ଅନ୍ୟ ୧୫୦ଟି ଏହି ଲଢୁଆ ଜେଟ୍ର ଉଡାଣକୁ ବନ୍ଦ କରିଦିଆଯାଇଛି। ରାଷ୍ଟ୍ରପତି ସାଇ ଇଙ୍ଗ ୱେଙ୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ ମଙ୍ଗଳବାର ରାତିରେ ପୂର୍ବ ତାଇବାନର ହୁଆଲିଏନ୍ ଏୟାରବେସ୍ରୁ ଏହି ଲଢୁଆ ଜେଟ୍ ଉଡାଣ ଆରମ୍ଭ କରିବାର ୨ ମିନିଟ୍ ପରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଗୋଟିଏ ଆସନ ବିଶିଷ୍ଟ ଏହି ଏଫ୍-୧୬ ବିମାନକୁ ଜଣେ ୪୪ ବର୍ଷୀୟ ପାଇଲଟ୍ ପ୍ରାୟ ୬ ହଜାର ଫୁଟ ଉଚ୍ଚରେ ଉଡାଉଥିବା ବେଳେ ତାହା ନିଖୋଜ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଏହି ଘଟଣା ପୂର୍ବରୁ ପ୍ରାୟ ୩ ସପ୍ତାହ ତଳେ ତାଲିମ୍ ସମୟରେ ଗୋଟିଏ ଏଫ୍-୫ ଇ ଲଢୁଆ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ମଧ୍ୟକୁ ଖସିପଡିଥିଲା।

ସେତେବେଳେ ମଧ୍ୟ ଯାଞ୍ଚ ଲାଗି ଅନ୍ୟ ସମସ୍ତ ଏଫ୍-୧୬ ଜେଟ୍ ଉଡାଣ ବନ୍ଦ କରାଯାଇଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ତାଇୱାନ ରାଷ୍ଟ୍ରପତି କହିଛନ୍ତି, ବାୟୁ ସେନା ସମସ୍ତ ଏଫ୍-୧୬ ଲଢୁଆ ବିମାନ ଉଡାଣ ବନ୍ଦ କରିଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ଲାଗି ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତାଇୱାନର ଲଢୁଆ ବିମାନଗୁଡିକ ପୁରୁଣା ହୋଇଥିବାରୁ ସେଗୁଡିକୁ ଚୀନ୍ ଲଢୁଆ ବିମାନର ସମକକ୍ଷ ନୁହଁନ୍ତି। ଏଫ-୧୬ ବ୍ୟତୀତ ତାଇୱାନ ପାଖରେ ସ୍ୱଦେଶ ନିର୍ମିତ ଡିଫେନ୍ସ ଫାଇଟର, ଫ୍ରାନ୍ସ ନିର୍ମିତ ୧୯୯୦ର ମିରେଜ୍ ଏବଂ ୧୯୭୦ ନିର୍ମିତ ଏଫ୍-୫ ଇ ଲଢୁଆ ବିମାନ ରହିଛି। ୧୯୯୭ ମସିହାରୁ ତାଇୱାନ ଆମେରିକା ଠାରୁ ଖର୍ଦ୍ଦି କରିବା ସମୟରୁ ଏ ପର୍ଯ୍ୟନ୍ତ ଏହାର ୭ଟି ଏଫ୍-୧୬ ଲଢୁଆ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେଲାଣି।