ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ବୁଧବାର ସକାଳେ ଜଣେ ବିଜେପି କର୍ମୀଙ୍କୁ ପିଟିପିଟି ମାରି ଦିଆଯାଇଛି। ତାଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଇତି ମଧ୍ୟରେ ବିଜେପି ପକ୍ଷରୁ ବୁଧବାର ସଂଧ୍ୟାରେ ରାସ୍ତା ଅବରୋଧ କରାଯିବା ସହ ଗୁରୁବାର ସ୍ଥାନୀୟ ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ପୁଲିସ କହିଛି ଯେ ୫୦ ବର୍ଷ ବୟସ୍କ କାଲାଚାନ୍ଦ କର୍ମକାର ନାମକ ବିଜେପି କର୍ମୀଙ୍କୁ କିଛି ଦୁବୃର୍ତ୍ତ ପିଟିପିଟି ହତ୍ୟା କରିଛନ୍ତି। ତୋଫାନଗଞ୍ଜ ଟାଉନ୍ରେ ତାଙ୍କର ଦୋକାନ ସମ୍ମୁଖରେ କିଛି ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବା ବେଳେ କାଲାଚାନ୍ଦ ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ଉଦ୍ୟମ କଲାବେଳେ ତାଙ୍କୁ ପିଟିପିଟି ମାରିଦିଆଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହି ହତ୍ୟାକାଣ୍ଡ ସହ ତୃଣମୂଳ କଂଗ୍ରେସର କୌଣସି ହାତ ନାହିଁ ବୋଲି ଦଳ ପକ୍ଷରୁ ସଫେଇ ଦିଆଯାଇଛି।