ଟି-୨୦ ବିଶ୍ୱକପ : ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ଦୁବାଇ,ଏଜେନ୍ସି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିବ। ଆଇପିଏଲ୍‌ ଖେଳି ବିଶ୍ୱକପ୍‌ ଜୈବ ସୁରକ୍ଷା ବଳୟରେ ଯୋଗ ଦେଇଥିବାରୁ ଭାରତୀୟ ଦଳର ଫର୍ମକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରାୟତଃ ସମସ୍ତ ଖେଳାଳି ଆଇପିଏଲ୍‌ ଜରିଆରେ ଫର୍ମ ଫେରି ପାଇଛନ୍ତି। କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚିନ୍ତା ରହିଛି। ପାଣ୍ଡ୍ୟାଙ୍କୁ ଅଲ୍‌ରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଛି। ହେଲେ ଫିଟ ହେବା ପରଠାରୁ ସେ ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିନାହାନ୍ତି।

ଟିମ୍‌ ଇଣ୍ଡିଆ ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳିବ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଜରିଆରେ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ। ଉପ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ପାଳି ଆରମ୍ଭ କରିବା ନିଶ୍ଚିତ। ତାଙ୍କ ସାଥୀ ଓପନର ଭାବେ ଲୋକେଶ ରାହୁଲ ଓ ଈଶାନ କିଷନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଟିମ୍‌ ଇଣ୍ଡିଆର ଅଭ୍ୟାସ ଅଧିବେଶନ ସଂପର୍କରେ ସେୟାର କରାଯାଇଛି। ମେଣ୍ଟର ଏମ୍‌ଏସ୍‌ ଧୋନୀ, ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ ବିକ୍ରମ ରାଠୋର, ଫିଲ୍ଡିଂଗ କୋଚ ଏସ୍‌ ଶ୍ରୀଧରଙ୍କ ସମେତ କଥାବାର୍ତ୍ତା ହୋଇଥିଲେ। ଫଟୋକୁ ଦେଖି ଲାଗୁଛି ଯେ, ବ୍ୟାଟିଂକୁ ନେଇ ଚର୍ଚ୍ଚା ହୋଇଛି।

ସୂଚନାଯୋଗ୍ୟ, ଭାରତର ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତକୁ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଏକ ୱାର୍ମ-ଅପ ମ୍ୟାଚ ଖେଳିବାର ଅଛି। ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ। ଭାରତକୁ ସୁପର-୧୨ ଷ୍ଟେଜରେ ମୋଟ ୫ଟି ମ୍ୟାଚ ଖେଳିବାର ଅଛି। ପାକିସ୍ତାନ ବ୍ୟତୀତ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ସହ ମ୍ୟାଚ ହେବ। ଅନ୍ୟ ୨ଟି ଟିମ ରାଉଣ୍ଡ-୧ ପରେ ହେବ।