ବୁଲା ବିକାଳିଙ୍କୁ ମିଳିବ ଅନଲାଇନ ପ୍ଲାଟଫର୍ମ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି(ପିଏମ୍ ସ୍ୱନିଧି) ଯୋଜନାରେ ବୁଲା ବିକାଳିଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଭାରତର ସର୍ବବୃହତ ଅନଲାଇନ ଫୁଡ୍ ଡେଲିଭରୀ ସଂସ୍ଥା ସ୍ୱିଗି ସହିତ ସହବନ୍ଧିତ ହୋଇଛି। ଏହାଦ୍ୱାରା ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ଅନଲାଇନ୍ ବ୍ୟବସ୍ଥାରେ ବ୍ୟବସାୟ କରିବାକୁ ସୁଯୋଗ ମିଳିବ ସହିତ ସେମାନଙ୍କୁ ଆତ୍ମନିର୍ଭରତା ଦିଗରେ ପ୍ରୋତ୍ସାହନ ମିଳିପାରିବ ବୋଲି କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ଇନ୍ଦୋର ଏବଂ ବାରାଣସୀ ଭଳି ସହରଗୁଡିକରେ ୨୫୦ ଭେଣ୍ଡରମାନଙ୍କୁ ନେଇ ସ୍ୱିଗି ଏକ ପାଇଲଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସାମିଲ କରି ବ୍ୟବସାୟ କରିବା ଦିଗରେ ଦିଗ୍ଦର୍ଶନ ଦେବ।

ବ୍ୟବସାୟୀମାନଙ୍କୁ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ଦିଗରେ ପ୍ରଶିକ୍ଷଣ ସହିତ ଆପ୍ ପରିଚାଳନା, ମେନୁର ଡିଜିଟାଲକରଣ, ଖାଦ୍ୟ ସୁରକ୍ଷା ସମ୍ପର୍କିତ ପରାମର୍ଶ ଏବଂ ଉତ୍ତମ ପ୍ୟାକେଜ୍ ବ୍ୟବସ୍ଥା ସମ୍ପର୍କରେ ସ୍ୱିଗି ସହାୟତା କରିବ। ଏହାପରେ ସାରା ଦେଶରେ ବୁଲା ବିକାଳି ଏବଂ ପଥଚାରୀ ବ୍ୟବସାୟୀମାନଙ୍କୁ ଏଭଳି ସୁଯୋଗ ଦେବା ଏବଂ ସେମାନଙ୍କୁ ଅନଲାଇନ୍ ପ୍ଲାଟଫର୍ମରେ ସାମିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ କରୋନାର ପ୍ରାଦୁର୍ଭାବ ଆରମ୍ଭ ହେବା ପରେ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଏହି ବୁଲା ତଥା ପଥଚାରୀ ଶ୍ରେଣୀ ଛୋଟ ବ୍ୟବସାୟୀ। ସେମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଜୁନ୍ରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ସେମାନଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଯୋଗାଇ ଦେବାକୁ ମଧ୍ୟ ସରକାର ବ୍ୟବସ୍ଥା କରିଥିଲେ।