ନିଜାମୁଦ୍ଦିନ ଧର୍ମସଭା ଫେରନ୍ତା ସଂସ୍ପର୍ଶ ସନ୍ଦେହରେ ପ୍ରଶାସନର ତନାଘନା ସହ ଲଟକା ଜାରି

ଦେବଗଡ଼,ଏନ୍ଏନ୍ଏସ୍: ଦିଲ୍ଲୀ ନିଜାମୁଦ୍ଦିନ ଠାରେ ତବଲିଗି ଜାମାତର ଧାର୍ମିକ ସମାବେଶରେ ଯୋଗଦେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସୂଚନା ଆସିବା ପରେ ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବାରକୋଟ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାପକ ତନାଘନା କରିଯିବା ପରେ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଘରୁ ବାହାରକୁ ନ ବାହାରିବାକୁ ପ୍ରଶାସନିକ ଆଦେଶରେ ଲଟକା ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବ୍ଲକ ବାହାଡାପଶି ଓ କଲା ଗ୍ରାମରେ ରହୁଥିବା ୧୦ରୁ ଊର୍ଦ୍ଧ୍ବ ମୁସଲିମ ସମ୍ପ୍ରଦାୟ ବ୍ୟକ୍ତି ଗତ କିଛି ଦିନ ପୂର୍ବେ ଦିଲ୍ଲୀ ନିଜାମୁଦ୍ଦିନ ଠାରେ ତବଲିଗି ଜାମାତ ପକ୍ଷରୁ ଆୟୋଜିତ ଧର୍ମସଭାରେ ଯୋଗଦେଇ ଓଡିଶା ଫେରିଥିଲେଓଡିଶା ଫେରିଥିବା ଜାମାତିଙ୍କୁ ସମ୍ବର୍ଦ୍ଧନା ପାଇଁ ଯାଇଥିବା ଜିଲ୍ଲା ପ୍ରଶାସନକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା।

ସୂଚନାକୁ ହାଲୁକାରେ ନ ନେଇ ଆଜି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ବାରକୋଟ ତହସିଲଦାର ଦିବ୍ୟ ଶଙ୍କର ଜୟପୁରିୟା, ବିଡ଼ିଓ ଟୁନୁ ମେହେର ଓ ଅନ୍ୟନ୍ୟ ଅଧିକାରୀମାନେ ବାରକୋଟ ଥାନା ପୁଲିସ ସହ ବାହାଡାପଶି ଓ କଲା ଗ୍ରାମକୁ ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରା ଉଚୁରା କରିଥିଲେ। ସେହିପରି ସେମାନଙ୍କୁ ଘରୁ ନ ବାହାରିବା ପରାମର୍ଶ ଦେବା ସହ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିବା ସହ ସେମାନେ ରହୁଥିବା ଘର ସମ୍ମୁଖରେ ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କା କାରଣରୁ ଘର ମଧ୍ୟରେ ରହିବାକୁ ପ୍ରଶାସନ ନୋଟିସ ଲଗାଯାଇଛି।