ନିଲମ୍ବିତ ତହସିଲଦାରଙ୍କ ବଢ଼ିଲା ଅଡ଼ୁଆ : ମୟୂରଭଞ୍ଜରେ କ୍ରାଇମବ୍ରାଞ୍ଚ ଟିମ୍

ବାରିପଦା,ଏନ୍ଏନ୍ଏସ୍: ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କର ମାଫିଆମାନଙ୍କ ସହିତ ଲିଙ୍କ

ଥିବା ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ଆଜି କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ ମୟୂରଭଞ୍ଜରେ ପହଞ୍ଚିଛନ୍ତି। ଟିମ୍ ବାରିପଦା ସହରରେ ପହଞ୍ଚି ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତାକାଲି ବେତନଟୀ ଓ ବୈଶିଙ୍ଗା ଯାଇ ଦୁଇ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ କେଶ ରେକର୍ଡ଼ପତ୍ରକୁ ଅନୁଧ୍ୟାନ କରିବେ। ସୂଚନାଯୋଗ୍ୟ, ଲଘୁ ଖଣିଜ ସମ୍ପଦ ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନଙ୍କ ସହିତ ବେତନଟୀ ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ସମ୍ପୃକ୍ତି ଅଭିଯୋଗକୁ ରାଜ୍ୟ ସରକାର ଅତି ଗମ୍ଭୀରତାର ସହ ବିଚାରକୁ ନେଇଛନ୍ତି। ମାଫିଆମାନଙ୍କ ସହ ପୂର୍ବତନ ତହସିଲଦାରଙ୍କ ସମସ୍ତ କଥୋପକଥନର ଅଡ଼ିଓ ରେକଡ଼ିଂ ଭାଇରାଲ ହୋଇ ବଜାରରେ ଘୁରିବୁଲୁଥିଲା। ଏଥିସହିତ ବୈଶିଙ୍ଗା ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହେବା ପରେ ସରକାର ବେତନଟୀ ତହସିଲାରଙ୍କୁ କଳାହାଣ୍ଡ ଡେପୁଟୀ କଲେକ୍ଟର ଭାବେ ବଦଳି କରାଇଥିଲେ। ଉକ୍ତ ଘଟଣାରେ ପୂର୍ବତନ ତହସିଲଦାର ଅନିଶା ଦାସ ଓ ମୋରଡ଼ା ବିଧାୟକଙ୍କ ସମ୍ପୃକ୍ତି ରହିଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହ ଅନିଶା ଦାସଙ୍କୁ ଚାକିରିରୁ ବରଖାସ୍ତ ଓ ଗିରଫ, ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କୁ ଗିରଫ ଏବଂ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ବିଜେପି ଦାବି କରି ୩ ଜଣ ବିଧାୟକଙ୍କ ସହ ମୟୂରଭଞ୍ଜ ଲୋକସଭା ସାଂସଦ ଧାରଣାରେ ବସିଥିଲେ।