ଆସନ୍ତାକାଲି ଠାରୁ ଆରମ୍ଭ ହେବ ସିରୋଲଜିକାଲ ସର୍ଭିଲାନ୍ସ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସିରୋଲଜିକାଲ ସର୍ଭିଲାନ୍ସ ଆରମ୍ଭ ହେବ। ଆଇସିଏମଆର ଓ ଆରଏମଆରସି ଭୁବନେଶ୍ୱର ତରଫରୁ ମାଲକାନଗିରି ଜିଲ୍ଲାକୁ ଏକ ପାଞ୍ଚଜଣିଆ ଦଳ ଏହି ସର୍ଭେ କରିବେ। ବରିଷ୍ଠ ବୈଜ୍ଞାନିକଙ୍କ ନେତୃତ୍ୱରେ ଏହି ସର୍ଭେ କରାଯିବ। ଏହି ଦଳ ଘରକୁ ଯାଇ ରକ୍ତ ନମୂନା ସଂଗ୍ରହ କରବେ। ଏଥିରେ ମୋଟ ୧୫ ଶହ ଜଣଙ୍କୁ ନେଇ ସର୍ଭେ କରାଯିବାକୁ ସ୍ଥିର କରାଯାଇଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି। କୋଭିଡର ସ୍ଥିତି ଜାଣିବା ପାଇଁ ଦଳକୁ ସହଯୋଗ କରିବାକୁ ମାଲକାନଗିରିର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଛନ୍ତି। ଏହାଦ୍ୱାରା କେଉଁ କେଉଁ ବ୍ୟକ୍ତିଙ୍କ ନିକଟରେ କୋଭିଡ-୧୯ ରୋଗୀ ଆଣ୍ଟି ବଡି ରହିଛି ଓ ସେମାନେ ରୋଗରୁ ଲଢ଼ିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବିକଶିତ କରିପାରିଛନ୍ତି ତାହା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ସର୍ଭେରେ ରେଣ୍ଡମ ଅନୁଯାୟୀ ନମୂନା ନିଆଯିବ। ଯେଉଁ ଲୋକଙ୍କୁ ଏହି ଦଳ ଚିହ୍ନଟ କରିଥିବେ, ସେମାନେ ସମସ୍ତେ ତାଙ୍କର ରକ୍ତ ନମୂନା ଦେଇ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ନିବେଦନ କରିଛନ୍ତି।