ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, ୨୮ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ବର,ଏନ୍‌ଏନ୍ଏସ୍: ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଚଳିତ ମାସ ୨୮ ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ପ୍ରଦୀପଙ୍କୁ ଦାୟିତ୍ବ ମିଳିଛି । ପ୍ରଦୀପ ମାର୍ଚ୍ଚ ମହିଲାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

୧୯୮୯ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେଉଛନ୍ତି ପ୍ରଦୀପ ଜେନା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପ୍ରଦୀପ ବର୍ତ୍ତମାନ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସ୍ବତନ୍ତ୍ର ରିଲିଫ୍ କମିଶନର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ଗତବର୍ଷ ପ୍ରଦୀପଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯିବା ନେଇ ଅନୁମାନ କରାଯାଉଥିଲା । ହେଲେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ସରକାର ତାହାକୁ ବୃଦ୍ଧି କରିଥିଲେ ।