ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରଖା ଯାଦବଙ୍କ ଆଉ ଏକ ରେକର୍ଡ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ

ମୁମ୍ବାଇ,ଏଜେନ୍ସି: ଭାରତ ତଥା ସମଗ୍ର ଏସିଆ ମହାଦେଶର ପ୍ରଥମ ମହିଳା ଲୋକୋପାଇଲଟ୍ ଭାବେ ରେକର୍ଡ କରିଥିବା ସୁରେଖା ଯାଦବ ଆଜି ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିଛନ୍ତି । ସେ ଆଜି ପ୍ରଥମ ମହିଳା ଲୋକୋପାଇଲଟ ଭାବେ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଛନ୍ତି । ସୁରେଖା ଯାଦବ ଆଜି(ସୋମବାର) ମହାରାଷ୍ଟ୍ରର ସୋଲାପୁର ଷ୍ଟେସନରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (CSMT) ପର୍ଯ୍ୟନ୍ତ ଏହି ଟ୍ରେନକୁ ଚଳାଇ ରେକର୍ଡ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର ୮ରେ ପହଞ୍ଚିବା ପରେ ସୁରେଖାଙ୍କୁ ରେଳବାଇ ପକ୍ଷରୁ ସ୍ବାଗତ କରାଯାଇଥିଲା ।

ଏହି ନୂତନ ରେକର୍ଡ ପାଇଁ ସୁରେଖା ରେଳବାଇକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, “ନୂତନ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଭାରତୀୟ ରେଳବାଇରେ ନିୟୋଜିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ସୁଯୋଗ ମିଳିଥିବାରୁ ଧନ୍ୟବାଦ ।” ଏହା ତାଙ୍କ ପାଇଁ ଭିନ୍ନ ଏକ ଅନୁଭବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଏହି ମିଶନରେ ସେ ନୂତନ ଟ୍ରେନ ଚଳାଚଳ ସଙ୍କେତ, ନୂତନ ତଥା ଅତ୍ୟାଧୁନିକ ଉପକରଣର ବ୍ୟବହାର, ଅନ୍ୟ କ୍ରୁ ସଦସ୍ୟମାନଙ୍କ ସହିତ ସମନ୍ୱୟରେ ଏହି କାର୍ଯ୍ୟକୁ ସଫଳତାର ସହ ଶେଷ କରିଥିବା କହିବା ସହ ଏହା ତାଙ୍କୁ ଏକ ଭିନ୍ନ ଅନୁଭବ ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି ।