ଆଜି ସୁପ୍ରିମକୋର୍ଟରେ ହେବ ରଥଯାତ୍ରାର ଶୁଣାଣି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସୁପ୍ରିମକୋର୍ଟରେ ପୁଣି ରଥଯାତ୍ରା ମାମଲାର ଶୁଣାଣି ହେବ। ଗତ ୧୮ ତାରିଖରେ ରଥଯାତ୍ରା ସ୍ଥଗିତ ପାଇଁ ସୁପ୍ରିମକୋର୍ଟ ଶୁଣାଣି କରିଥିବା ବେଳେ ଏହାର ପୁର୍ନବିଚାର ପାଇଁ ୧୬ଟି ପିଟିସନ ଦାୟର ହୋଇଛି। ତେବେ ଏହା କୋର୍ଟରେ ଗ୍ରହଣୀୟ ହେବ କି ନାହିଁ ସେନେଇ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କ ଭର୍ଚୁଆଲ କୋର୍ଟ ନଂ-୩ରେ ଶୁଣାଣି ହେବ। ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣିବେଳେ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବେ।

ମୂଳ ମାମଲାରେ ପକ୍ଷଭୁକ୍ତ ପାଇଁ ପୂର୍ବରୁ କରାଯାଇଥିବା ଆବେଦନଗୁଡ଼ିକର ଶୁଣାଣି ହୋଇନଥିଲା। ତେଣୁ ଆସନ୍ତାକାଲି ଆବେଦନଗୁଡ଼ିକ ଶୁଣାଣି ପାଇଁ ଗ୍ରହଣଯୋଗ୍ୟ କି ନୁହେଁ ତାହା ସ୍ପଷ୍ଟ ହେବ। ପୂର୍ବରୁ ଏହି ମାମଲା‌ର ଶୁଣାଣି ଗତ ୧୮ ତାରଖରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିଥିଲେ। ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଆଦେଶ ଦେଇଥିଲେ। ହେଲେ ଆଜି ଏହି ମାମଲାକୁ ଭେକେସନ୍‌ ବେଞ୍ଚ ଅର୍ଥାତ ଜଣିକିଆ ବେଞ୍ଚରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବା ସମସ୍ତଙ୍କୁ ବିସ୍ମିତ କରିଛି।