ମରାଠା ଆରକ୍ଷଣକୁ ଶେଷ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମରାଠା ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟର ୫ଜଣ ଜଜଙ୍କ ଖଣ୍ଡପୀଠ କହିଛନ୍ତି ଯେ, କୌଣସି ନୂଆ ମରାଠୀ ପ୍ରତିଭାଗୀଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆରକ୍ଷଣ ମିଳିବ ନାହିଁ। ମରାଠୀ ଆରକ୍ଷଣକୁ କୋର୍ଟ ଅସାମ୍ବିଧାନିକ ଦର୍ଶାଇଛନ୍ତି। କିନ୍ତୁ ପୂର୍ବରୁ ଯେଉଁ ନିଯୁକ୍ତି ମିଳିଛି ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହଁ। ତାହା ସେମିତି ରହିବ କିନ୍ତୁ ନୂଆ ନିଯୁକ୍ତି ଆରକ୍ଷଣ ଆଧାରରେ ମିଳିବ ନାହିଁ।

କୋର୍ଟ ଆହୁରି କହିଛନ୍ତି ଯେ, ମରାଠା ସମୁଦାୟ କୌଣସି ଅନଗ୍ରସର ସମୁଦାୟ ନୁହେଁ। ସେଥିପାଇଁ ତାକୁ ସାମାଜିକ ଓ ଶୈକ୍ଷଣିକ ରୂପରେ ପଛୁଆ ମାନିବା ଭୁଲ ହେବ। ମରାଠା ସମୁଦାୟକୁ ପଛୁଆ ମାନିବାର ଅର୍ଥ ହେଉଛି ମହାରାଷ୍ଟ୍ରରେ ଆଇନର ସମାନତା ଅଧିକାରକୁ ଉଲଂଙ୍ଘନ କରିବା।

ସୂଚନାଯୋଗ୍ୟ, ନିଷ୍ପତ୍ତି ନେବା ସମୟରେ ଜଜଙ୍କ ମତାମତ ସମାନ ନଥିଲା। କିନ୍ତୁ ଶେଷରେ ଜଜମାନେ ମରାଠା ଆରକ୍ଷଣକୁ ଭୁଲ ଦର୍ଶାଇଥିଲେ। କାହିଁକିନା ଆରକ୍ଷଣ ପଛୁଆ ବର୍ଗଙ୍କୁ ଦିଆଯାଇଥାଏ ଆଉ ମରାଠା ପଛୁଆ ନୁହେଁ।