କରୋନା ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା ସହାୟତାକୁ ସୁପ୍ରିମକୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାରେ ହୋଇଥିବା ମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ମିଳିବାକୁ ଥିବା ସହାୟତା ରାଶି ଅନ୍ୟ କଲ୍ୟାଣ ଯୋଜନାଠାରୁ ଅଲଗା ହେବ। ଦାବି କରାଯିବାର ୩୦ ଦିନ ମଧ୍ୟରେ ଏହି ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ଦିଆଯିବ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଜୁନ ୩୦ ତାରିଖରେ କରୋନା ଭଳି ବପର୍ଯ୍ୟୟରେ ହୋଇଥିବା ମୃତ୍ୟୁ ଲାଗି ସହାୟତା ରାଶି ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ସେପ୍ଟେମ୍ବର ୨୩ ତାରିଖରେ ସୁପ୍ରିମକୋର୍ଟର ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ଏ.ଏସ୍ ବୋପାନ୍ନା ଏହି ମାମଲାର ଆଦେଶକୁ ସୁରକ୍ଷିତ ରଖିଥିଲେ। ସେଦିନ ପ୍ରତ୍ୟେକ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ସ୍ଥିର କରିବା ନେଇ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ। ଏପରି କଠିନ ପରିସ୍ଥିତିରେ ଭାରତ ଯାହା କରିପାରିଲା ତାହା ଆଉ କୌଣସି ଦେଶ କରିପାରିନି ବୋଲି ସୁପ୍ରିମକୋର୍ଟ ସନ୍ତୋଷ ବ୍ୟକ୍ତ କରିଥିଲେ।