ଏନ୍‌ସିଆର୍‌ବି ରିପୋର୍ଟ: ରାଜ୍ୟରେ ବଢୁଛି ଆତ୍ମହତ୍ୟା

* ପ୍ରେମ ସମ୍ପର୍କରେ ତିକ୍ତତାରୁ ୧୧୧ଜଣଙ୍କ ମୃତ୍ୟୁ
* ପରକୀୟାପ୍ରୀତିରୁ ୩୭, ଯୌତୁକ କାରଣରୁ ୪୯

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମଣିଷ ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରେ। ଜୀବନରେ ଟିକେ ଖୁସି ରହିବା ପାଇଁ ସବୁବେଳେ ଚେଷ୍ଟା କରୁଥାଏ। ହେଲେ ପରିସ୍ଥିତି ମଣିଷକୁ ଅବାଟକୁ ନେଇଯାଏ। ମାନସିକ ଦୁଶ୍ଚିନ୍ତାରେ ପଡ଼ି ଜିଇ ଥାଉ ଥାଉ ମରିଯାଏ। ଶେଷରେ ଜୀବନର ମୋହ ଛାଡ଼ି ଆତ୍ମହତ୍ୟାର ବାଟ ବାଛିବାକୁ ବାଧ୍ୟ ହୁଏ। ଏମିତି କିଛି କାରଣରୁ ରାଜ୍ୟରେ ପ୍ରତିବର୍ଷ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି। ୨୦୨୦ ମସିହାରେ ରାଜ୍ୟରେ ୫ହଜାର ୫୪୬ଜଣ ଆତ୍ମହତ୍ୟା କରିଛନ୍ତି। ଯାହାକି ୨୦୧୯ବର୍ଷ ଠାରୁ ୨୧ପ୍ରତିଶତ ଅଧିକା। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ରାଜ୍ୟରେ ଋଣ ସୁଝିନପାରିବାରୁ ୨୬ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ବୈବାହିକ ସମ୍ପର୍କରେ ତିକ୍ତତା କାରଣରୁ ୨୫୦ ଜଣ, ପ୍ରେମସମ୍ପର୍କରେ ସମସ୍ୟା କାରଣରୁ ୧୧୧ ଜଣ, ଯୌତୁକ ନିର୍ଯାତନା କାରଣରୁ ୪୯ ଜଣ, ପରକୀୟାପ୍ରୀତିକୁ ନେଇ ୩୭ ଜଣ, ବିବାହ ଛାଡ଼ପତ୍ରରୁ ୨ ଜଣ, ପରୀକ୍ଷାରେ ଫେଲ୍ ହେବାରୁ ୧୭ ଜଣ, ପାରିବାରିକ ସମସ୍ୟାରୁ ୪୫୦୬ ଜଣ, ରୋଗର ଯନ୍ତ୍ରଣା ସହିନପାରିବାରୁ ୭୮ ଜଣ ଆତ୍ମହତ୍ୟା କରିଛନ୍ତି।

ଗତ ୫ବର୍ଷର ତଥ୍ୟକୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ ୨୦୨୦ ମସିହାରେ ଆତ୍ମହତ୍ୟାର ହାର ରାଜ୍ୟରେ ଅହେତୁକ ବୃଦ୍ଧି ପାଇଛି। ୨୦୧୬ରେ ରାଜ୍ୟରେ ୩୯୦୪ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୭ରେ ୪୪୯୩ ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୮ରେ ୪୫୯୨ ଜଣ, ୨୦୧୯ରେ ୪୫୮୨ ଜଣ ଏବଂ ୨୦୨୦ରେ (ପୁରୁଷ-୩୯୦, ମହିଳା-୧୬୩୭) ଜଣ ଆତ୍ମହତ୍ୟା କରିଛନ୍ତି। ତେବେ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ସମଗ୍ର ଦେଶରେ ୨୦୨୦ରେ ୧ଲକ୍ଷ ୫୩ହଜାର ୫୨ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।